ୱିଣ୍ଡ୍‌ଫଲ୍ ଟିକସ ହଟାଇବାକୁ ଓଏନ୍‌ଜିସିର ପ୍ରସ୍ତାବ

28

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରରେ ଉତ୍ପାଦିତ ଅଣବିଶୋଧିତ ତୈଳ ଉପରେ ଲାଗୁ କରାଯାଉଥିବା ୱିଣ୍ଡ୍‌ଫଲ୍ (ଅପ୍ରତ୍ୟାଶିତ) ଟିକସ ବାତିଲ କରିବାକୁ ଓଏନ୍‌ଜିସି (ଅଏଲ ଆଣ୍ଡ୍ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ) ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଅପରପକ୍ଷରେ ଆନ୍ତର୍ଜାତିକ ମାର୍କେଟରୁ ଆମଦାନି ହେଉଥିବା ତୈଳ ଉପରେ ମିଳୁଥିବା ରିହାତିକୁ ଘରୋଇ ତୈଳ ଉତ୍ପାଦନକାରୀ କମ୍ପାନୀରେ ବିନିଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏହାବ୍ୟତୀତ ବ୍ରିଟିଶ ଥର୍ମାଲ ୟୁନିଟ୍ ଅନୁଯାୟୀ ମିଳୁଥିବା ପ୍ରାକୃତିକ (ନ୍ୟାଚୁରାଲ) ଗ୍ୟାସ୍‌ର ମୂଲ୍ୟ ନିୟୁତ ପିଛା ୧୦ ଡଲାର ଧାର୍ଯ୍ୟ କରିବାକୁ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଫଳରେ ଦେଶରେ ପ୍ରାକୃତିକ ଗ୍ୟାସ୍ ଭଣ୍ଡାର ବୃଦ୍ଧି ପାଇବ ବୋଲି କୁହାଯାଇଛି । ନିକଟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଓ ଓଏନ୍‌ଜିସି ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ରୁଷ୍‌ରୁ କିଣାଯାଉଥିବା ତୈଳ ଉପରେ ଭାରତକୁ ଯଥେଷ୍ଟ ରିହାତି ପ୍ରଦାନ କରାଯାଉଛି । ଏହାଫଳରେ ଭାରତ ସରକାର ବାର୍ଷିକ ୩୫,୦୦୦ କୋଟି ଟଙ୍କା ସଞ୍ଚୟ କରିପାରୁଛନ୍ତି । ଏହି ଲାଭାଂଶକୁ ଘରୋଇ ତୈଳ ଉତ୍ପାଦନ କ୍ଷେତ୍ରରେ ବିନିଯୋଗ କରାଗଲେ, ଦେଶରେ ଦେଖାଯାଉଥିବା ତୈଳ ସଙ୍କଟ କିଛିମାତ୍ରାରେ ଦୂର ହୋଇପାରିବ ବୋଲି ଓଏନ୍‌ଜିସି ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ତେଣୁ ରୁଷ୍‌ରୁ ମିଳୁଥିବା ରିହାତି ଅର୍ଥକୁ ଓଏନ୍‌ଜିସିକୁ ହସ୍ତାନ୍ତର କରାଗଲେ ଘରୋଇ ଉତ୍ପାଦନକୁ ଅଧିକ ସକ୍ରିୟ କରାଯାଇପାରିବ ବୋଲି କୁହାଯାଇଛି । ବର୍ତ୍ତମାନ ଓଏନ୍‌ଜିସି ପକ୍ଷରୁ ଲାଭାଂଶର ୩୦ ପ୍ରତିଶତ ଅର୍ଥ ୱିଣ୍ଡ୍‌ଫଲ୍ ଟିକସ ବାବଦରେ ସରକାରଙ୍କୁ ପ୍ରଦାନ କରାଯାଉଛି । ଯଦି ଏହି ଟିକସ ବୋଝକୁ ହାଲୁକା କରାଯିବ, ତାହାହେଲେ ସେହି ଅର୍ଥକୁ ବିନିଯୋଗ କରି କମ୍ପାନୀ ବିଭିନ୍ନ ସ୍ଥାନରେ ତୈଳ ଖନନ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିବ ବୋଲି କୁହାଯାଇଛି । ଘରୋଇ ଉତ୍ପାଦନରେ ବୃଦ୍ଧି ଘଟିଲେ, ତୈଳ ଆମଦାନି ପ୍ରସଙ୍ଗରେ ସରକାରଙ୍କୁ ଆଶ୍ୱସ୍ତି ମିଳିବ । ଚଳିତବର୍ଷ ଜୁଲାଇ ୧ରୁ ସରକାର ୱିିଣ୍ଡ୍‌ଫଲ୍ ଟିକସ ଲାଗୁ କରିଛନ୍ତି । ତଦନୁଯାୟୀ ପେଟ୍ରୋଲ ଓ ଆଭିଏସନ୍ ଟର୍ବାଇନ୍ ଫୁଏଲ (ଏଟିଏଫ୍‌-ବିମାନ ଇନ୍ଧନ) ଉପରେ ଲିଟର ପିଛା ୬ ଟଙ୍କା, ଡିଜେଲ ଉପରେ ଲିଟର ପିଛା ୧୩ ଟଙ୍କା ଏବଂ ଘରୋଇ ତୈଳ ଉତ୍ପାଦନ ଉପରେ ଟନ୍ ପିଛା ୨୩,୨୫୦ ଟଙ୍କାର ୱିଣ୍ଡ୍‌ଫଲ ଟିକସ ପୈଠ କରିବାକୁ ପଡୁଛି । ତେବେ ଜୁଲାଇ ୨୦, ଅଗଷ୍ଟ ୨, ଅଗଷ୍ଟ ୧୯, ସେପ୍ଟେମ୍ବର ୧ ଓ ସେପ୍ଟେମ୍ବର ୧୬ରେ ପାଞ୍ଚଟି ପର୍ଯ୍ୟାୟରେ ଏହି ଟିକସକୁ ଆଂଶିକ ସଂଶୋଧନ କରାଯାଇଛି । ଘରୋଇ ତୈଳ ଉପରେ ବର୍ତ୍ତମାନ ଟନ୍ ପିଛା ୧୦,୫୦୦ ଟଙ୍କା, ଡିଜେଲ ଓ ଏଟିଏଫ୍ ଉପରେ ରପ୍ତାନି କର ଯଥାକ୍ରମେ ଲିଟର ପିଛା ୧୦ ଓ ୫ ଟଙ୍କା ଧାର୍ଯ୍ୟ କରାଯାଇଥିବା ଜଣାପଡିଛି ।

Comments are closed, but trackbacks and pingbacks are open.