ଦେଶରେ ସବୁ ପୋଲିସ ପିନ୍ଧିବେ ଗୋଟିଏ ପ୍ରକାର ଖାକି ପୋଷାକ..

156

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ‘ଗୋଟିଏ ଦେଶ, ଗୋଟିଏ ପୋଲିସ ୟୁନିଫର୍ମ’ ନୀତି ଲାଗୁ ହେବାର ସମ୍ଭାବନା ରହିଛି । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସରକାର ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ମୁଖ୍ୟ ଚିଠି ଲେଖିଛନ୍ତି । ନଭେମ୍ବର ୪ ସୁଦ୍ଧା ବର୍ତ୍ତମାନ ବ୍ୟବହୃତ ହେଉଥିବା ପୋଲିସ ୟୁନିଫର୍ମ ଏବଂ ତାର ଖର୍ଚ୍ଚ ବାବଦରେ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ରହିଛି । ଓଡ଼ିଶା, ଆନ୍ଧ୍ର, ଅରୁଣାଚଳ, ଆସାମ, ଗୋଆ, ହିମାଚଳ, ଝାଡ଼ଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକ୍କିମ୍‌, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗକୁ ଚିଠି ହୋଇଛି । ଗୃହ ମନ୍ତ୍ରଣାଳୟ କନଷ୍ଟେବଳ ପଦଠାରୁ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ବା ଡିଏସପି ରାଙ୍କ୍ ପର୍ଯ୍ୟନ୍ତ ଦୁଇଟି ପ୍ରମୁଖ ଦିଗ ଉପରେ ତଥ୍ୟ ମାଗିଛି । ବର୍ତ୍ତମାନ ପୋଲିସ କର୍ମଚାରୀଙ୍କୁ ପଦ ଅନୁଯାୟୀ ମଞ୍ଜୁର କରାଯାଇଥିବା ବାର୍ଷିକ ୟୁନିଫର୍ମ ଭତ୍ତା ଏବଂ ପ୍ରତ୍ୟେକ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟବହୃତ ୟୁନିଫର୍ମର ଆନୁମାନିକ ମୂଲ୍ୟ ସମ୍ପର୍କରେ ବିବରଣୀ ମଗାଯାଇଛି । ଏହି ନୀତି ଲାଗୁ ହେବା ପରେ ଦେଶର ସମସ୍ତ ରାଜ୍ୟର ପୋଲିସ କର୍ମଚାରୀ ସମାନ କପଡ଼ା, ସମାନ ରଙ୍ଗ ଏବଂ ସମାନ ଡିଜାଇନର ୟୁନିଫର୍ମ ପିନ୍ଧିବେ । ଓଡ଼ିଶା ଡିଜିପି କଣ୍ଟ୍ରୋଲ ରୁମ୍ ମଧ୍ୟ କେନ୍ଦ୍ର ସରକାରଙ୍କ ଚିଠି ପରେ ତତ୍ପରତା ଦେଖାଇଛି ।
ଖବର ଥାଉକି, ୨୦୨୨ ଅକ୍ଟୋବର ୨୭-୨୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁଷ୍ଠିତ ରାଜ୍ୟ ଗୃହମନ୍ତ୍ରୀଙ୍କ ଚିନ୍ତନ ଶିବିରରେ ଏକ ସାଧାରଣ ପୋଲିସ ୟୁନିଫର୍ମର ଧାରଣା ପ୍ରଥମେ ପ୍ରସ୍ତାବିତ ହୋଇଥିଲା । ଏହା ପରେ ୨୦୨୩ ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ପ୍ରତିକ୍ରିୟା ଲୋଡିଥିଲା। ପ୍ରଧାନମନ୍ତ୍ରୀ ସେତେବେଳେ କହିଥିଲେ ଯେ ଏହି ପଦକ୍ଷେପର ଲକ୍ଷ୍ୟ ପୋଲିସ କର୍ମଚାରୀଙ୍କ ସାର୍ବଜନୀନ ସ୍ୱୀକୃତି ବୃଦ୍ଧି କରିବା ଏବଂ ସାରା ଦେଶରେ ସଂସ୍ଥାଗତିକ ସମନ୍ୱୟର ଭାବନାକୁ ଉନ୍ନତ କରିବା।

Comments are closed, but trackbacks and pingbacks are open.