ଶିକ୍ଷା ରୂପାନ୍ତରଣରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ: ୬୮୯୧ ଜଣ ନବନିଯୁକ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମ, ଶିକ୍ଷକତାକୁ ଚାକିରି ନ ଭାବି ସଙ୍କଳ୍ପ ଭାବ: ମୁଖ୍ୟମନ୍ତ୍ରୀ

17

ରାଜ୍ୟର ୬୮୯୧ ଜଣ ନବନିଯୁକ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ମାଧ୍ୟମିକ ସ୍କୁଲରେ ନବ ନିଯୁକ୍ତ ହିନ୍ଦୀ, ସଂସ୍କୃତ, ପିଇଟି, ଟିଜିଟି ଓ ତେଲୁଗୁ ଶିକ୍ଷକଙ୍କ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ନୂତନ ଭାବେ ନିଯୁକ୍ତି ପାଇଥିବା ୬ହଜାର ୮୯୧ଜଣ ଶିକ୍ଷକ ଅଂଶଗ୍ରହଣ କରିବେ। ଓରିଏଣ୍ଟେସନ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକତାର ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ଶିକ୍ଷକତାକୁ ଚାକିରି ନ ଭାବି ସଙ୍କଳ୍ପ ଭାବିବାକୁ ନବୀନ ପରାମର୍ଶ ଦେଇଛନ୍ତି ।

କାର୍ଯ୍ୟ କ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଟୁକୁନି ସାହୁ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଉପସ୍ଥିତ ରହିଥିଲେ । ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକଙ୍କଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମକୁ ପ୍ରବେଶ ବେଳେ ଶିକ୍ଷକମାନେ କେବଳ ମୋବାଇଲ, ଆଧାର କାର୍ଡ, ପର୍ସ ଓ ପରିଚୟ ପତ୍ର ସାଙ୍ଗରେ ନେଇପାରିବେ । ହାଇସ୍କୁଲ ରୂପାନ୍ତରଣ ଭିତ୍ତିଭୂମିର ବିକାଶ ପରେ ଏବେ ଶିକ୍ଷକଙ୍କ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।

କାର୍ଯ୍ୟକ୍ରମରେ ୩ ଜଣ ଶିକ୍ଷକ –ପବିତ୍ର କର, ପ୍ରମିତା ପଟ୍ଟନାୟକ ଓ ଜୟଶ୍ରୀ ପାଢୀ ପ୍ରମୁଖ ସେମାନଙ୍କ ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସାରା ଦୁନିଆକୁ ଏହି ବାର୍ତ୍ତା ଦେଉଛି ଯେ ଓଡିଶାରେ ଶିକ୍ଷକ ମାନଙ୍କୁ କିଭଳି ଭାବରେ ସ୍ବାଗତ କରାଯାଏ ଓ ସମ୍ମାନ ଦିଆଯାଏ। ନିଯୁକ୍ତି ପ୍ରକ୍ରିୟା ଉପରେ ଆଲୋକପାତ କରି ସେମାନେ କହିଲେ ଯେ ଆମେ ସମସ୍ତେ ଖୁବ କମ୍‌ ସମୟରେ ଏକ ସ୍ବଚ୍ଛ ପ୍ରକ୍ରିୟା ମଧ୍ୟରେ ନିଯୁକ୍ତି ପାଇଛୁ ଏବଂ ଆମେ ସଂପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ଓ ସାମଗ୍ରୀକ ବିକାଶ ପାଇଁ କାମ କରିବୁ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ସ୍ବାଗତ ଭାଷଣ ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରାଯାଇଛି ବୋଲି କହିଥିଲେ । ପିଲାମାନଙ୍କ ସୃଜନଶୀଳ ପ୍ରତିଭାର ବିକାଶ ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ସ୍କୁଲ ରୂପାନ୍ତର ଯୋଗୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିଶ୍ବସ୍ତରୀୟ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.