ଦିନେ ଇଂରାଜୀ ରେ ଫେଲ ହେଉଥିଲେ, ପରେ ହେଲେ ଇଂରାଜୀ ସାହିତ୍ୟକାର

72

ଦିନେ ଜଣେ ପିଲା ନିଜର ମାଧ୍ୟମିକ ଆଡମିଶନ ପାଇଁ ପରୀକ୍ଷା ଦେଇଥିଲେ, କିନ୍ତୁ ସେ ଇଂରାଜୀ ଭାଷାରେ ଫେଲ ହୋଇଗଲେ । ଯେତେବେଳେ କି ତାଙ୍କ ପିତା ନିଜେ ଜଣେ ଶିକ୍ଷକ ଥିଲେ। ଯଦି ଜଣେ ଶିକ୍ଷକଙ୍କ ପୁଅ ପରୀକ୍ଷାରେ ଫେଲ ହୁଏ ତେବେ ଏହାର ପ୍ରଭାବ ଅନ୍ୟ ଛାତ୍ରମାନଙ୍କ ଉପରେ କ’ଣ ହେବ? ଏହି ବିଷୟରେ ଚିନ୍ତା କରି ପିଲାଟି ଲଜ୍ଜାରେ ମୁଣ୍ଡ ଟେକି ପାରୁ ନ ଥିଲେ I ଏହା ପରେ ପିଲାଟି ଦିନେ ଶପଥ ନେଇଥିଲେ ଯେ ସେ ଯେଉଁ ବିଷୟରେ ଫେଲ ହୋଇଥିଲେ ସେ ସେହି ବିଷୟରେ ଜ୍ଞାନୀ ହେବେ। ଏହାସହ ସେ ନିଜ ଦୃଢ ସଂକଳ୍ପ ପଥରେ ଆଗେଇ ଚାଲିଲେ I ସେ ପ୍ରତିଦିନ ତାଙ୍କ ଘର ନିକଟରେ ଥିବା ଏକ ପୋଖରୀ କୂଳକୁ ଯାଇ ଇଂରାଜୀ ବିଷୟକୁ ଅଭ୍ୟାସ କଲେ I ସେ ପୋଖରୀ କୂଳରେ ବସି ଜୋର ଜୋର ରେ ଇଂରାଜୀ ବିଷୟ ପଢିବା ସହିତ ତାକୁ ଏକ ଖାତାରେ ଲେଖିବା ଅଭ୍ୟାସ ମଧ୍ୟ କଲେ I ସେ ପ୍ରତିଦିନ ପୋଖରୀ କୂଳକୁ ଯିବା ସମୟରେ ହାତରେ ବିଭିନ୍ନ ଇଂରାଜୀ ଲେଖକଙ୍କ ବହି ସବୁ ନେଇ ଯାଉଥିଲେ I କେତେବେଳେ ସେକ୍ସପିୟର, ଚାର୍ଲ୍ସ ଡିକେନ୍ସ, , ଜର୍ଜ ଏଲିଅଟ୍ ଏବଂ କେବେ ଜନ୍ ମିଲଟନ୍ ବହି ସବୁ ପଢୁଥିଲେ I

ଏହିପରି ଭାବରେ ପୋଖରୀ କୂଳରେ ଘଣ୍ଟା ଘଣ୍ଟା ଧରି ପଢିବା ଅଭ୍ୟାସ ଜାରି ରହିଲା I ପଢିବା ସହିତ ସେ ଧୀରେ ଧୀରେ ନିଜ ଖାତାରେ କିଛି କିଛି ଲେଖିବା ଆରମ୍ଭ କଲେ I ଏଇଭଳି ଲେଖିବା ସହିତ ସେ ନିଜ ମନରୁ କଳ୍ପନା କରି କିଛି ବିଷୟବସ୍ତୁ ଉପରେ ଲେଖିଲେ I ଏଇଭଳି ନିଜ କଳ୍ପନା ଭିତରେ ସେ ଏକ ରେଲୱେ ଷ୍ଟେସନ ଦେଖିଲେ ଯାହାର ନାଁ ଦେଇଥିଲେ ‘ମାଲଗୁଡି’ I ସେହି କାଳ୍ପନିକ ଷ୍ଟେସନ ରେ ସେ ଏକ ପାତ୍ର ଓ ତା’ର ଏକ ସାଙ୍ଗ କୁ ରଚନା କରିଥିଲେ ଏବଂ ଏହି କାଳ୍ପନିକ ପାତ୍ରକୁ ନେଇ ଯେଉଁ ବହି ଲେଖିଲେ ତା’ର ନାଁ ହେଲା ‘ସ୍ୱାମୀ ଏଣ୍ଡ ଫ୍ରେଣ୍ଡ୍ସ’ I ଏହି ମହାନ ଲେଖକଙ୍କର ନାଁ ଥିଲା ଆର.କେ. ସ୍ୱାମୀ ନାରାୟଣନ (ରସିପୁରମ୍ କୃଷ୍ଣସ୍ୱାମୀ ଆୟର ନାରାୟଣସ୍ୱାମୀ) I ସେ ୧୦ ଅକ୍ଟୋବର ୧୯୦୬ ରେ ଦକ୍ଷିଣ ଭାରତରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ I

R.K.NAYAYAN

୧୯୪୩ ମସିହାରେ ଲେଖିଥିବା ଆର.କେ.ନାରାୟଣନ ଙ୍କ ‘ମାଲଗୁଡି’ ପୁସ୍ତକ ବିଶେଷକରି ପିଲାମାନଙ୍କ ମନସ୍ତତ୍ଵ କୁ ନେଇ ଲେଖା ଯାଇଥିଲା Iସେତେବେଳେ ‘ମାଲଗୁଡି’ ଲେଖା ଜରିଆରେ ସେ ବିଶ୍ୱ ପ୍ରସିଦ୍ଧ ହୋଇପାରିଥିଲେ I ତା’ପରେ ସେ ସାରା ଜୀବନ ଲେଖିବାକୁ ଲାଗିଲେ I ସେହିପରି ସେ ୧୯୫୮ ରେ ଲେଖିଥିଲେ ପ୍ରସିଦ୍ଧ ଉପନ୍ୟାସ ‘ଦି ଗାଇଡ଼’ I ଯାହାକୁ ନେଇ ୧୯୬୫ ମସିହାରେ ପ୍ରଥମ ରୋମାଣ୍ଟିକ ହିନ୍ଦୀ ଫିଲ୍ମ ‘ଦି ଗାଇଡ଼ ‘ନିର୍ମିତ ହୋଇଥିଲା I ଏହି ଫିଲ୍ମ ର ନିର୍ଦେଶକ ଥିଲେ ବିଜୟ ଆନନ୍ଦ ଏହାସହିତ ଫିଲ୍ମ ର ପ୍ରଡ୍ୟୁସର ସହିତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସେ ସମୟର ଚକୋଲେଟ ହିରୋ ଦେବାନନ୍ଦ ଏବଂ ଏହି ଫିଲ୍ମ ର ମୁଖ୍ୟ ଅଭିନେତ୍ରୀ ଥିଲେ ବହିଦା ରହମାନ I

ନିଜ ଲେଖା ଜରିଆରେ ସେ ଖୁବ ମାନ ,ସମ୍ମାନ,ଯଶ ,ଖ୍ୟାତି ଅର୍ଜନ କରିପାରିଥିଲେ I ତାଙ୍କ ଲିଖିତ ମାଲଗୁଡି ରଚନାରୁ ୧୯୮୬ ମସିହାରେ ଭାରତୀୟ ଦୂରଦର୍ଶନ ରେ ପ୍ରସାରିତ ପ୍ରସିଦ୍ଧ ଧାରାବାହିକ ‘ମାଲ ଗୁଡି ଡେଜ’ ଖୁବ ଲୋକପ୍ରିୟ ହୋଇପାରିଥିଲା I ସେହିପରି ଆର.କେ ନାରାୟଣ ତାଙ୍କ ଲିଖିତ ଉପନ୍ୟାସ ‘ଦି ଗାଇଡ଼’ ପାଇଁ ୧୯୬୦ ମସିହାରେ ସମ୍ମାନ ଜନକ ‘ସାହିତ୍ୟ ଏକାଡେମୀ’ ପୁରସ୍କାର ପାଇଥିଲେ I ଏହା ସହିତ ଏଥିରୁ ନିର୍ମିତ ହିନ୍ଦୀ ଫିଲ୍ମ ‘ଦି ଗାଇଡ଼ ‘ ର ବେଷ୍ଟ ଷ୍ଟୋରି ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଥିଲା I

ଏହି ମହାନ ଇଂରାଜୀ ସାହିତ୍ୟକାର ଯେ ଦିନେ ଇଂରାଜୀରେ ଫେଲ ହୋଇଥିବେ ଏହା କେହି କଳ୍ପନା ବି କରିପାରିବେ ନାହିଁ I ନିଜର ଦୃଢ ସଂକଳ୍ପ ଓ ଇଛାଶକ୍ତି ବଳରେ ଏହି ମହାନ ଭାରତୀୟ ଇଂରାଜୀ ସାହିତ୍ୟ ଲେଖକ ଆର.କେ. ନାରାୟଣ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି |

Comments are closed, but trackbacks and pingbacks are open.