ତୃତୀୟ ଦିନରେ ବି ଗୃହ ଅଚଳ ,୪ ଟା ଯାଏଁ ମୁଲତବୀ

8

ଭୁବନେଶ୍ୱର: ଆଜି ୨ୟ ପର୍ଯ୍ୟାୟ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ଗୃହରେ ବିରୋଧୀମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପ୍ରଶ୍ନକାଳ ଆରମ୍ଭରୁ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି ବିଜେଡି। ମଦମୃତ୍ୟୁ ଓ ଇଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ । ଗୃହ ମଝିକୁ ଆସି ହୋହାଲ୍ଲା କରିଥିଲେ ତାରା ବାହିନୀପତି ଓ ଅନ୍ୟ ବିଧାୟକ । ଚିକିଟିରେ ମଦମତ୍ୟୁକୁ ନେଇ ଗୃହ ସରଗରମ ହୋଇଥିଲା । ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ଫଳରେ ଗୃହକୁ ପ୍ରଥମେ ୧୧ଟା ୩୦ ମିନିଟ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ ।

ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିବା ବେଳେ ବିଜେଡି ବିଧାୟକମାନେ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ମିନିଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଏହାପରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ମାତ୍ରେ ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା। ମୁଲତବି ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଥିବାବେଳେ ବିରୋଧୀ କିନ୍ତୁ ଆଲୋଚନା ନକରି ନାରାବାଜି କରିଥିଲେ। ଫଳରେ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କରାଯାଇଛି।

Comments are closed, but trackbacks and pingbacks are open.