କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ କଟକରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତୁତି ସମୀକ୍ଷା

8

କଟକ/ଭୁବନେଶ୍ୱର,୦୧-୦୮(ପି.ଏନ.ଏ) :ଆସନ୍ତା ଅଗଷ୍ଟ ୮ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ ଓ ଇନଡୋର୍ ଷ୍ଟାଡ଼ିୟମକୁ ଗସ୍ତ କରିବା ସହ ବିଜେପିର ବରିଷ୍ଠ ନେତା ଓ କଟକ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରାକ୍ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ ବୁଲି ଦେଖିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଜାତନ୍ତ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ଇନଡୋର୍ ଷ୍ଟାଡ଼ିୟମକୁ ଯାଇ ପ୍ରସ୍ତୁତି କାର୍ଯ୍ୟ ଦେଖିଥିଲେ । ପରେ କଟକ ଏବଂ ଭୁବନେଶ୍ୱରରେ ବିଜେପି ପକ୍ଷରୁ ଆୟୋଜିତ ପୃଥକ ପୃଥକ ପ୍ରସ୍ତୁତି ବୈଠକରେ ଦଳର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗଦେଇ ଶ୍ରୀ ଶାହଙ୍କ ଗସ୍ତ ନେଇ ଦଳ ପକ୍ଷରୁ ହୋଇଥିବା ବ୍ୟବସ୍ଥା ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।

ଶ୍ରୀ ଶାହଙ୍କ ଗସ୍ତ ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଓଡ଼ିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ସେଭଳି ଏକ ମୁହୂର୍ତ୍ତରେ ସ୍ୱାଧୀନତା ସଂଗ୍ରାମୀ ଡା. ହରେକୃଷ୍ଣ ମହାତାବଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପ୍ରଜାତନ୍ତ୍ର’ ଖବର କାଗଜ ୭୫ ବର୍ଷରେ ପର୍ଦାପଣ କରିବା ଏବଂ ଏହି ପୃଷ୍ଠଭୂମିରେ ଶ୍ରୀ ଶାହଙ୍କ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଗମନ ଓଡ଼ିଶାର ପ୍ରାସଙ୍ଗିକତାକୁ ଆହୁରି ବଢ଼ାଇ ଦେଇଛି ।

ଏହି ପରିଦର୍ଶନ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ଓଡ଼ିଶା ମାଟିର ବରପୁତ୍ର ତଥା ସାହସ ଏବଂ ନିଷ୍ଠାର ମୂର୍ତ୍ତିମନ୍ତ ସ୍ୱରୂପ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ନେତାଜୀ ଯେଉଁ ମୂଲ୍ୟବୋଧ, ଆଦର୍ଶ ଓ ସାହସ ଦେଖାଇଥିଲେ ଓ ଯେଉଁ ନେତୃତ୍ୱ ଦେଶକୁ ଦେଇଥିଲେ ତାହାର ସୁଫଳ ଆଜି ମିଳିଛି । ଦେଶର ଗଣତନ୍ତ୍ର ମଜବୁତ୍ ହୋଇଛି । ସ୍ୱତନ୍ତ୍ରତା ସଂଗ୍ରାମର ମହାନାୟକ ନେତାଜୀ ଆଗାମୀ ପିଢ଼ି ପାଇଁ ପ୍ରେରଣା ପୁରୁଷ ହୋଇ ରହିବେ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ବିଜେପି କାର୍ଯ୍ୟକର୍ତ୍ତାମାନେ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଗତ ଜଣାଇଥିଲେ ।

Comments are closed, but trackbacks and pingbacks are open.