୨୪ରେ କାହାକୁ ଭରଷା କରିବ ରେଙ୍ଗାଲି

23

ପ୍ରତିଥର ନୂଆ ଚେହେରା ବାଛୁଥିବା ରେଂଗାଲି ଉପରେ ସମସ୍ତଙ୍କ ନଜର । ବିଜେପିରୁ ନାଉରୀ, ବିଜେଡ଼ି ଓ କଂଗ୍ରେସରୁ କିଏ? ଏଥର କାହା ପାଳି? ବିଜେଡି, ବିଜେପି ନା କଂଗ୍ରେସ । ରେଂଗାଲି ନିର୍ବାଚନ ମଣ୍ଡଳୀ ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ସର୍ବଦା ଚର୍ଚ୍ଚାରେ ରହି ଆସୁଛି । କାରଣ ଏଠରେ ପ୍ରତ୍ୟେକ ବିଧାନସଭା ନିର୍ବାଚନରେ ନୂଆ ମୁହଁ ଉପରେ ଭରସା କରିଆସୁଛନ୍ତି ଅଞ୍ଚଳବାସୀ । କଂଗ୍ରେସ, ବିଜେଡି ପରେ ଗତ ନିର୍ବାଚନରେ ବିଜେପିକୁ ରେଂଗାଲିବାସୀ ବିଧାନସଭାକୁ ପଠାଇଛନ୍ତି । ରେଂଗାଲି ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରେ ପ୍ରଥମ ଥର ପାଇଁ ୨୦୦୯ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦୁର୍ଯ୍ୟୋଧନ ଗର୍ଡ଼ିଆ ବିଶାଳ ବ୍ୟବଧାନରେ ନିର୍ବାଚିତ ହୋଇଥିଲେ ।

୨୦୧୪ନିର୍ବାଚନରେ ତତ୍କାଳୀନ ବିଧାୟକ ଦୁର୍ଯ୍ୟୋଧନ କଂଗ୍ରେସରୁ ପୁଣି ଥରେ ପ୍ରାର୍ଥୀ ହୋଇଥିଲେ । ହେଲେ, ସେ ବିଜେଡି ପ୍ରାର୍ଥୀ ରମେଶ ପଟୁଆଙ୍କଠାରୁ ପରାଜିତ ହୋଇଥିଲେ । ହେଲେ ୨୦୧୯ ନିର୍ବାଚନରେ ରମେଶ ପଟୁଆଙ୍କ ବିଜେଡି ଟିକେଟ ନଦେଇ ରୀନା ତନ୍ତୀଙ୍କୁ ପ୍ରାର୍ଥୀ କରିଥିଲା ।, କିନ୍ତୁ ରୀନା ବିଜେପି ପ୍ରାର୍ଥୀ ନାଉରୀ ନାୟକଙ୍କଠାରୁ ପରାଜିତ ହୋଇଥିଲେ । ଅପରପକ୍ଷରେ ଏବେ ବିଜେପି ରାଜ୍ୟ ଉପସଭାପତି ଥିବା ବିଧାୟକ ନାଉରୀ ନାୟକ ୨୦୨୪ ନିର୍ବାଚନରେ ପୁଣି ଦଳୀୟ ଟିକଟ ପାଇବା ନିଶ୍ଚିତ ରହିଛି । ଅନ୍ୟପଟେ , ଏହି ଆସନକୁ ପୁନଃ କବ୍ଚା କରିବା ଲକ୍ଷରେ ରହିଛି ବିଜେଡି । କିନ୍ତୁ ଏହି ଆଶନ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଶାୟୀ ତାଲିକାରେ ପୂର୍ବତନ ବିଧାୟକ ରମେଶ ପଟୁଆ, ଇଂ.ଗାନ୍ଧୀ ବେହେରା, ସୁଦର୍ଶନ ହରିପାଲ, ରୀନା ତନ୍ତି, ଦିଲୀପ ଦୁରିଆ, ପ୍ରମୁଖ ଆଶାୟୀ ରେସ୍‌ରେ ରହିଛନ୍ତି ।

୨୦୧୯ ନିର୍ବାଚନରେ କଂଗ୍ରେସ ପୂର୍ବତନ ବିଧାୟକ ଶ୍ରୀ ଗର୍ଡ଼ିଆଙ୍କ ବଦଳରେ ବାଳକୃଷ୍ଣ ରୋହିଦାସଙ୍କୁ ପ୍ରାର୍ଥୀ କରିଥିଲା । ମାତ୍ର, ବାଳକୃଷ୍ଣଙ୍କ ଭୋଟ ୧୦ ହଜାର ବି ଡେଇଁ ପାରିନଥିଲା । ଏଭଳି ସ୍ଥିତିରେ ଦୁର୍ଯ୍ୟୋଧନ ଗର୍ଡ଼ିଆ ଏବଂ ବାଳକୃଷ୍ଣ ରୋହିଦାସଙ୍କ ମଧ୍ୟରୁ ଦଳ କାହାକୁ ପ୍ରାର୍ଥୀ କରିବ କିମ୍ବା ନୂଆ ଚେହେରା ଦେବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଦେଖିବାକୁ ଅପେକ୍ଷା ଆଗାମି ନିର୍ବାଚନରେ ରେଂଗାଲୀ ବାସି ନୂଆ ମୁହଁ ଉପରେ ଭରସା କରିବେ ନା ପୂରୁଣା ମୁହଁ ଉପରେ ଭରସା କରିବେ ।

Comments are closed, but trackbacks and pingbacks are open.