ମେ ୧୭ରେ ୧୦ମ ଆର୍ଟ ଅଫ୍‍ ଗିଭିଂ ଦିବସ, ୬ଜଣ ପାଇବେ ଆର୍ଟ ଅଫ୍‍ ଗିଭିଂ ହିରୋ ସମ୍ମାନ

20

ଭୁବନେଶ୍ୱର : ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବାଣ୍ଟିବା ପାଇଁ ୨୦୧୩ ମସିହା ମେ ୧୭ ତାରିଖଠାରୁ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆର୍ଟ ଅଫ୍‍ ଗିଭିଂ’ ପ୍ରୟାସ ଏବେ ସମଗ୍ର ବିଶ୍ୱରେ ଆଦୃତି ଲାଭ କରିଛି। ପ୍ରତିବର୍ଷ ମେ ୧୭ ତାରିଖରେ ବିଶ୍ୱର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହୋଇଆସୁଛି। ପ୍ରତ୍ୟେକ ବର୍ଷ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ଆର୍ଟ ଅଫ୍‍ ଗିଭିଂର ଚଳିତବର୍ଷର ବିଷୟବସ୍ତୁ ରହିଛି ହେଲ୍‍ପିଂ ଦି ହେଲ୍‍ପ (ସାହାଯ୍ୟକାରୀକୁ ସାହାଯ୍ୟ)।
ଚଳିତବର୍ଷ ବିଶ୍ୱର ୬ଟି ମହାଦେଶ, ୧୨୦ଟି ଦେଶର ୩୫୦ଟି ସ୍ଥାନରେ ୧୦ମ ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହେଉଛି । ଭାରତର ୨୯ଟି ରାଜ୍ୟ, ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୩୫ଶହ ସ୍ଥାନରେ ଏବଂ ୨ଶହ ସହର ସମେତ ଓଡ଼ିଶାର ୩୦ଟି ଜିଲ୍ଲା, ୧୦ଟି ପ୍ରମୁଖ ସହର, ୩ଶହରୁ ଊର୍ଦ୍ଧ୍ୱ ବ୍ଲକ୍‍, ୫ହଜାରରୁ ଊର୍ଦ୍ଧ୍ୱ ଗ୍ରାମ ପଞ୍ଚାୟତର ୧୦ ହଜାର ସ୍ଥାନରେ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହେଉଛି।
କିଟ୍‍ ଓ କିସ୍‍ର ଶୁଭେଚ୍ଛୁ, କର୍ମଚାରୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଓଡ଼ିଶା, ଭାରତ ତଥା ବିଦେଶରେ ଥିବା ବିଭିନ୍ନ କ୍ରୀଡ଼ା ସଂଘ, ସିଭିଲ୍‍ ସୋସାଇଟି, ଦେଶ ବାହାରେ ଥିବା ବିଭିନ୍ନ ଓଡ଼ିଆ ସଂଘ, ନୂଆଦିଲ୍ଲୀସ୍ଥିତ ବିଭିନ୍ନ ଦୂତାବାସ, ବିଭିନ୍ନ ଯୁବକ ସଂଘ, ନେହରୁ ଯୁବକ ସଂଘ, ୫ଶହରୁ ଊର୍ଦ୍ଧ୍ୱ କର୍ପୋରେଟ୍‍ ଅନୁଷ୍ଠାନ, ୫ଶହରୁ ଊର୍ଦ୍ଧ୍ୱ ବିଦ୍ୟାଳୟ, ଭାରତର ୫୦ଟି ବିଶ୍ୱବିଦ୍ୟାଳୟ ଓ ୧୫ଟି ବିଦେଶୀ ବିଶ୍ୱବିଦ୍ୟାଳୟ, ଶତାଧିକ ମହାବିଦ୍ୟାଳୟ, ହୋଟେଲ ଓ ରେଷ୍ଟୁରାଣ୍ଟ, ହସ୍‍ପିଟାଲ୍‍ ଓ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ, ଜିମ୍‍ ଓ ଫିଟନେସ୍‍ କେନ୍ଦ୍ର ସହିତ ଛୋଟବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ଆର୍ଟ ଅଫ୍‍ ଗିଭିଂ ଅନୁଗାମୀମାନେ ଏହି ଦିବସ ପାଳନ କରୁଛନ୍ତି।
ଏହି ଅବସରରେ ୧୭ ତାରିଖ ସଂଧ୍ୟାରେ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସମାଜସେବା କରୁଥିବା ୬ଜଣ ବ୍ୟକ୍ତିଙ୍କୁ ‘ଆର୍ଟ ଅଫ୍‍ ଗିଭିଂ’ ହିରୋ ସମ୍ମାନରେ ସମ୍ମାନୀତ କରାଯିବ ।

Comments are closed, but trackbacks and pingbacks are open.