କୋଭିଡ ଠାରୁ ଓମିକ୍ରନ ସଂକ୍ରମଣ ୩ ଗୁଣ ଅଧିକ , ରାଜ୍ୟ ମାନଙ୍କୁ କେନ୍ଦ୍ରର ଚିଠି

16

ବର୍ତ୍ତମାନ ସାରା ବିଶ୍ୱ ସହିତ ଦେଶରେ ଓମିକ୍ରନ ସଂକ୍ରମଣ କୁ ନେଇ ସମସ୍ତଙ୍କୁ ଭୟ ଘାରିଛି I କରୋନାର ଏହି ନୂତନ ଭାରିଏଣ୍ଟ ଖୁବ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଆଜି ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୦୦ ପାଖାପାଖି ପହଂଚିବାକୁ ଥିବା ବେଳେ ରାଜ୍ୟରୁ ମଧ୍ୟ ପ୍ରଥମ କରି ୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି I ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ କେନ୍ଦ୍ର ସରକାର ସତର୍କ ସୂଚନା ଜାରି କରିଛନ୍ତି। ଓମିକ୍ରନ କରୋନାର ସବୁଠାରୁ ମାରାତ୍ମକ ଡେଲ୍ଟା ଭାରିଏଣ୍ଟ ତୁଳନାରେ ୩ ଗୁଣ ଅଧିକ ସଂକ୍ରାମକ।ଏହାର ଅର୍ଥ ଏହା ୩ ଗୁଣା ଅଧିକ ସ୍ପିଡ୍‌ରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିବ। ତେଣୁ ରାଜ୍ୟ ସରକାରମାନେ ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ୱାର ରୁମ୍‌ଗୁଡ଼ିକୁ ଆକ୍ଟିଭ କରନ୍ତୁ ବୋଲି କେନ୍ଦ୍ର ସରକାର ଆଜି ଚିଠି ଲେଖିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଓମିକ୍ରନ ବ୍ୟତୀତ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ଡେଲ୍ଟା ଭାରିଏଣ୍ଟ ମଧ୍ୟ ସକ୍ରିୟ ରହିଛି। ତେଣୁ ସ୍ଥାନୀୟ ଓ ଜିଲ୍ଲା ସ୍ତରରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ବିଶେଷ କରି ତଥ୍ୟର ବିଶ୍ଲେଷଣ, ଟେଷ୍ଟିଂ ଓ କଣ୍ଟେନମେଣ୍ଟକୁ ଜୋରଦାର କରିବାକୁ ହେବ।
ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ଜିଲ୍ଲା ସ୍ତରରେ ସଂକ୍ରମଣକୁ ରୋକିବା ପାଇଁ ସମୟ ପୂର୍ବରୁ ଉପଯୁକ୍ତ ନିଷ୍ପତ୍ତି ନେବା ଉଚିତ। ଭାଇରସ କାୟା ବିସ୍ତାର କରିବା ପୂର୍ବରୁ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିବାକୁ କେନ୍ଦ୍ର ସରକାର ଚିଠିରେ କହିଛନ୍ତି।
ଆଗକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ଆସୁଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଭିଡ଼ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଗୁଆ ରାଜ୍ୟମାନଙ୍କୁ ସତର୍କ କରାଇ ଦେଇଛନ୍ତି।

Leave A Reply

Your email address will not be published.