ଏନ୍‌ଡିଡିବି ସହ ଓମ୍‌ଫେଡର ଚୁକ୍ତିନାମା: କ୍ୱାର୍ଟରସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

249

ଭୁବନେଶ୍ୱର: ଓଡ଼ିଶାରେ ଶ୍ୱେତ ବିପ୍ଲବର  କର୍ଣ୍ଣଧାର ହେଉଛି ଓମ୍‌ଫେଡ୍‍। ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଓମ୍‌ଫେଡ୍ ଡ୍ରାଇଭିଙ୍ଗ ଫୋର୍ସ ସାଜିଛି। ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅଧିକ ଅମଳକ୍ଷମ ପ୍ରଜାତିର ୧୦ ହଜାର ଗାଈ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦିଆଯାଇ ରାଜ୍ୟର ଗୋ ଅର୍ଥନୀତିକୁ ସମୃଦ୍ଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ ଠାରେ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ (ଏନ୍‌.ଡି.ଡି.ବି) ଏବଂ ଓମ୍‌ଫେଡ ମଧ୍ୟରେ ଅନୁଷ୍ଠିତ ଚୁକ୍ତିନାମା ଅବସରରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଓମ୍‌ଫେଡ୍ ସହିତ ଏହି ଚୁକ୍ତିନାମା ଜରିଆରେ ନେସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ ଓଡିଶାର ଦୁଗ୍ଧ ଚାଷୀମାନଙ୍କୁ ଅଧିକ ଦୁଗ୍ଧ ଅମଳକ୍ଷମ ଗୀର୍, ସହିୱାଲ୍ ଓ କ୍ରସ୍ ବ୍ରିଡ୍ ପ୍ରଜାତିର ପ୍ରାୟ ୩ରୁ ୪ ହଜାର ଗାଈ ଯୋଗାଇଦେବ। ଏଥିସହିତ ଆଗାମୀ ଦିନରେ ଏନ୍‌.ଡି.ଡି.ବି ସହାୟତାରେ ରାଜ୍ୟରେ ଏକ ଗୋବର ଗ୍ୟାସ ପ୍ଲାଣ୍ଟ ମଧ୍ୟ ସ୍ଥାପନ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭.୫୦ କୋଟି ଟଙ୍କା ବିନିଯୋଗରେ ୨ ହଜାରରୁ ୧୫ ହଜାର ଲିଟର ବିଶିଷ୍ଟ ୨୨ଟି ମିଲ୍କ ଟ୍ୟାଙ୍କର ରାଜ୍ୟର ବିଭିନ୍ନ ଦୁଗ୍ଧ ସଂଘ ମାନଙ୍କୁ ପ୍ରଦାନ କରିବା ସହିତ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ଗୁଣ୍ଡ ଦୁଗ୍ଧ ପ୍ୟାକିଙ୍ଗ ମେସିନର ଉଦ୍‌ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ସମସ୍ତ ସୁବିଧା ଦ୍ୱାରା ରାଜ୍ୟର ଚାଷୀମାନଙ୍କ ଠାରୁ ଯଥେଷ୍ଟ ଅଧିକ ପରିମାଣର ଦୁଗ୍ଧ ସଂଗ୍ରହ କରାଯାଇପାରିବ। ଏବେ ରାଜ୍ୟର ଦୁଗ୍ଧ ଉତ୍ପାଦନ ୭୨ ଲକ୍ଷ ଲିଟର ରହିଛି। କିନ୍ତୁ ୨୦୩୬ ସୁଦ୍ଧା ଏହି ପରିମାଣ ୧୬୫ ଲକ୍ଷ ଲିଟର ଏବଂ ୨୦୪୭ ସୁଦ୍ଧା ଏହାକୁ ୨୭୪ ଲକ୍ଷ ଲିଟରରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଦୀର୍ଘ ୪୫ ବର୍ଷ ଧରି  ଦୁଗ୍ଧ ଉତ୍ପାଦନ, ସଂଗ୍ରହ ଏବଂ ବିକ୍ରୟ ସହିତ  ରାଜ୍ୟର ଦୁଗ୍ଧଚାଷୀ ମାନଙ୍କ ଆର୍ଥିକ ବିକାଶରେ ଓମ୍‌ଫେଡ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଆସୁଛି। ଏବେ ଓମ୍‌ଫେଡ୍ ଉତ୍ପାଦ ଗୁଡିକର ବିବିଧକରଣ କରିବା ସହିତ ଗୁଣ୍ଡ ଦୁଗ୍ଧ, ପନିର, ବଟର, ଛେନା ପୋଡ, ଆଇସ୍‌କ୍ରିମ୍, ସୁବାସିତ ଦୁଗ୍ଧ, ମିଠା ଦହି, ପେଡା, ରାବିଡି ଆଦି ଅନେକ ଉତ୍ପାଦ ପ୍ରସ୍ତୁତ କରୁଛି। ଯୁବବର୍ଗ ମଧ୍ୟ ଏହା ମାଧ୍ୟମରେ ଭଲ ରୋଜଗାର କରିପାରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଓ ଅନ୍ୟାନ୍ୟ ନୀତିକାନ୍ତି ପାଇଁ ପ୍ରାୟ ୩୦ ମେଟ୍ରିକ ଟନ ଘିଅ ଯୋଗାଇ ଦେବାକୁ ଓମ୍‌ଫେଡ୍ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଚୁକ୍ତି ହୋଇଛି।

Comments are closed, but trackbacks and pingbacks are open.