ପଦ୍ମରେ ଯୋଗ ଦେଲେ ଓଲିଉଡ ଦମ୍ପତି ଜିନା ଓ ରୁଦ୍ର

29

ପଦ୍ମ ଧରିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ । ଜିନାଙ୍କ ସହ ସ୍ୱାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ମଧ୍ୟ ପଦ୍ମ ଧରିଛନ୍ତି। ବାଲେଶ୍ୱରରେ ସାସଂଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି । ଆଜି ଏଠାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଜିନା ଓ ରୁଦ୍ରଙ୍କ ସମେତ ୮୦ରୁ ଅଧିକ ଲୋକ ବିଜେପିରେ ସାମିଲ ହୋଇଛନ୍ତି ।

ଓଲିଉଡର ଲୋକପ୍ରିୟ କଳାକାର ମହାଶ୍ବେତା, ଅପରାଜିତା, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ ଚୌଧୁରୀ, ଶ୍ରୀତମ୍ ଦାସ ଓ ଅଖିଳ ପଟ୍ଟନାୟକ ପ୍ରମୁଖ ବିଜେପିରେ ସାମିଲ ହେବା ପରେ ଏବେ ଏହି ତାରକା ଦମ୍ପତିକୁ ନେଇ ଦଳ ଶକ୍ତି ବଢାଇବ ।

ଜିନା ଓଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ । ବିଶେଷକରି ଆଲବମ ଜଗତରେ ତାଙ୍କ ବେଶ ଖ୍ୟାତି ରହିଛି । ଫେରିଆ ମୋ’ ସୁନାଭଉଣୀ’ ଥିଲା ତାଙ୍କର ପ୍ରଥମ ସିନେମା । ଏହା ପରେ କେତୋଟି ହାତଗଣତି ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ । ପରେ ଅଭିନେତା ରୁଦ୍ରଙ୍କୁ ଜୀନା ସାମଲ୍‌ ବିବାହ କରିଥିଲେ। ସେହିପରି ଜିନାଙ୍କ ସ୍ୱାମୀ ରୁଦ୍ର ମଧ୍ୟ ଜଣେ ଓଲିଉଡ କଳାକାର । ସେ ମନେ ରହିବ ଏ ପ୍ରେମକାହାଣୀ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ମାରିଥିଲେ । ଏଥିସହିତ ଗଳ୍ପ ନୁହେଁ ଅଳ୍ପ ଦିନର, ଅପ୍‌ନା ହାତ୍‌ ଜଗନ୍ନାଥ, ଝିଅଟା ବିଗିଡ଼ିଗଲା, ପ୍ରେମୀ ଦିଓ୍ଵାନା ଓ ରଘୁ ସର୍ଦ୍ଦାର ଭଳି ଓଡ଼ିଆ ଛବିରେ ମଧ୍ୟ ରୁଦ୍ରଙ୍କୁ ଦେଖିବାକୁ ମିଳିଛି।

ଆଜି ଏହି ମିଶ୍ରଣ ପର୍ବରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ସମସ୍ତଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ଏହି ପର୍ବରେ ବହୁ ବିଜେପି ନେତା ମଧ୍ୟ ସାମିଲ ଥିଲେ । ଆସନ୍ତା ନିର୍ବାଚନ ପୂର୍ବରୁ ସାଂସଦ ପ୍ରତାପ ଷଡଙ୍ଗୀ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତୃଣମୂଳ ସ୍ତରରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏକାଧିକ ମିଶ୍ରଣ ପର୍ବ କରି ଲୋକଙ୍କୁ ଦଳରେ ସାମିଲ କରାଉଛନ୍ତି । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଅଞ୍ଚଳର ଜିନା ବିଜେପିରେ ସାମିଲ ହେବା ପରେ ଏହି ଅଞ୍ଚଳରେ ବିଜେପି ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି ।

Comments are closed, but trackbacks and pingbacks are open.