ଗହୀରମଥାରେ ଅଲିଭ୍ ରିଡ୍‌ଲେଙ୍କ ଗଣଅଣ୍ଡାଦାନ

174

ଭୁବନେଶ୍ବର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ଆରମ୍ଭ ହୋଇଛି। ଚଳିତ ମାସ ୫ ଓ ୬ତାରିଖ ଦୁଇଦିନରେ ୧ଲକ୍ଷ ୯୨ହଜାର ୭୪୫ରେ ପହଞ୍ଚିଛି। ନାଶୀ-୨ରେ ଏହି ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୫ତାରିଖ ଦିନ ୭୮ହଜାର ୭୪୩ ମା’ କଇଁଛ ଗଣଅଣ୍ଡାଦାନରେ ସାମିଲ ହୋଇଥିଲେ। ୬ତାରିଖ ଦିନ ସନ୍ଧ୍ୟାରୁ ୭ତାରିଖ ସକାଳ ସୁଦ୍ଧା ୧ଲକ୍ଷ ୧୪ହଜାର ଦୁଇଟି ମା’ କଇଁଛ ଗଣଅଣ୍ଡାଦାନ କରିଥିବା ବନବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଜଳବାୟୁ ପରିବର୍ତ୍ତନ ଫଳରେ ନାଶୀ-୧ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। ନାଶୀ-୨ ମଧ୍ୟ ଅନେକାଂଶରେ ପ୍ରଭାବିତ ହେବାରେ ଲାଗିଛି। ୨୦୦୯ ମସିହା ପୂର୍ବରୁ ନାଶୀ-୨ ଆୟତନର ପ୍ରାୟ ୩୭ ହେକ୍ଟର୍ ସମୁଦ୍ର ଗ୍ରାସ କରିଯିବା ଫଳରେ ଏବେ ୧୪ ହେକ୍ଟର ରହିଛି। ସାଧାରଣତଃ ମା’ କଇଁଛ ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ମଧ୍ୟରେ ସମୁଦ୍ରର ନୀଳ ଜଳରାଶିରୁ ବାହାରି ବାଲିରେ ଦେଢ଼ଫୁଟ ଗଭୀରର ଗାତ ଖୋଳି ଅଣ୍ଡା ଦେବା ପରେ ସମୁଦ୍ରକୁ ଚାଲି ଯାଇଥାଏ। ଏହି ପ୍ରକ୍ରିୟା ଜାରି ଥିବାରୁ କଇଁଛଙ୍କଙ୍କ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ବନବିଭାଗ ପକ୍ଷରୁ ନଜର ରଖାଯାଇଛି। ଏହିକ୍ରମରେ ବାବୁବାଲି ଓ ମାଦଳୀଠାରେ ଦୁଇଟି କ୍ୟାମ୍ପ୍‌, ଗହୀରମଥାରେ ଲଞ୍ଚ୍ ଖୋଳା ଓ ଏକକୂଳାଠାରେ ଦୁଇଟି କ୍ୟାମ୍ପ୍‌, ରାଜନଗରର ସାତଭାୟା, ହବାଳୀଖଟି ଓ ବରୁଣେଇଠାରେ ସୁରକ୍ଷା କ୍ୟାମ୍ପ୍‌, ମହାକାଳପଡ଼ାର ତାଲଙ୍ଗଠାରେ ଗୋଟିଏ ଏବଂ କୁଜଙ୍ଗର ଷଣ୍ଢକୂଦ, ତଣ୍ଡା, ରାମତରା ଓ ହାୱାଖାନାଠାରେ ସୁରକ୍ଷା କ୍ୟାମ୍ପ୍ କରାଯାଇଛି। ସମୁଦ୍ର ମଧ୍ୟରେ ଥିବା ଦୁଇଟି ସୁରକ୍ଷା କ୍ୟାମ୍ପ୍‌ରେ ୧୦ଜଣ ଲେଖାଏ କର୍ମଚାରୀ ଏବଂ ସମୁଦ୍ରକୂଳ ସୁରକ୍ଷା କ୍ୟାମ୍ପ୍‌ରେ ୨ଜଣ ଲେଖାଏ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ସହକାରୀ ବନସଂରକ୍ଷକ ମାନସ କୁମାର ଦାସ ସୂଚନା ଦେଇଛନ୍ତି। ଚଳିତବର୍ଷ ବିଳମ୍ବରେ ହେଲେ ମଧ୍ୟ ଅଲିଭ୍ ରିଡ୍‌ଲେ କଇଁଛ ଗଣଅଣ୍ଡାଦାନରେ ସାମିଲ ହୋଇଥିବା ନେଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.