ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ, ୫୫,୩୬୨ଙ୍କୁ ମିଳିଲା ର‌୍ୟାଙ୍କ୍

256

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ୯୨,୪୮୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ନାମ ପଞ୍ଜୀକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦,୩୨୪ ଜଣ ଅର୍ଥାତ୍ ୮୬.୮୪ % ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ କେବଳ ନର୍ସିଂ ପାଠ୍ୟକ୍ରମକୁ ଛାଡ଼ିଦେଲେ ଅନ୍ୟ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ୫୫,୩୬୨ ପରୀକ୍ଷାର୍ଥୀଙ୍କୁ ର‌୍ୟାଙ୍କ୍ ମିଳିଛି। ରାଜ୍ୟର ୩୦ଟି ଜିଲ୍ଲା ସମେତ ରାଜ୍ୟ ବାହାରେ ୩ଟି ସହର କୋଲକାତା, ପାଟନା ଏବଂ ରାଞ୍ଚିରେ ମୋଟ ୭୦ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ୨୦୨୫-୨୬ ଶିକ୍ଷା ବର୍ଷରେ ବିଭିନ୍ନ ସରକାରୀ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନରେ ଥିବା ୧୭ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ମଧ୍ୟରେ ବି.କ୍ୟାଟ୍‌, ଲାଟେରାଲ୍ ଟେକ୍ (ଡିପ୍ଲୋମା ପିଲାଙ୍କ ଲାଗି), ଲାଟେରାଲ୍ ଟେକ୍ (ବିଏସ୍‌ସି ପିଲାଙ୍କ ଲାଗି), ବିଫାର୍ମା, ଏମ୍‌ବିଏ, ଏମ୍‌ସିଏ, ଇଣ୍ଟିଗ୍ରେଟେଡ୍ ଏମ୍‌ବିଏ, ଲାଟେରାଲ୍ ଫାର୍ମା, ଏମ୍ ଫାର୍ମା, ଏମ୍ ଆର୍କିଟେକ୍‌, ଏମ୍ ପ୍ଲାନ୍‌, ଏମ୍ ଟେକ୍‌, ବେସିକ୍ ବିଏସ୍‌ସି ନର୍ସିଂ, ପୋଷ୍ଟ୍ ବେସିକ ବିଏସ୍‌ସି ନର୍ସିଂ, ଏମ୍ ଏସ୍‌ସି ନର୍ସିଂ, ପୋଷ୍ଟ ଡିପ୍ଲୋମା ନର୍ସିଂ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ହୋଇଥିଲା। ତେବେ ବି.ଫାର୍ମାରେ ସର୍ମାଧିକ ୧୪,୦୩୨ଜଣଙ୍କୁ ର‌୍ୟାଙ୍କ୍ ମିଳିଥିବା ବେଳେ ଲାଟେରାଲ୍ ଟେକ୍ (ଡିପ୍ଲୋମା)ରେ ୧୮୩୯୮, ଲାଟେରାଲ୍ ଟେକ୍ (ବିଏସ୍‌ସି)ରେ ୬୨୯, ଏମ୍‌ବିଏ ୯୦୨୨, ଏମ୍‌ସିଏରେ ୬୭୯୫, ଇଣ୍ଟିଗ୍ରେଟେଡ୍ ଏମ୍‌ବିଏ ଲାଗି ୧୫୬୪, ଲାଟେରାଲ୍ ଫାର୍ମାରେ ୯୭୬, ଏମ୍ ଫାର୍ମାରେ ୧୬୫୧, ଏମ୍ ଆର୍କିଟେକ୍‌ରେ ୧୬, ଏମ୍ ପ୍ଲାନ୍‌ରେ ୧୮, ବି. କ୍ୟାଟ୍‌(ସିନେ ଏବଂ ସାଉଣ୍ଡ୍‌)ରେ ୨୭୧, ବି.କ୍ୟାଟ୍‌(ଫିଲ୍ମ ଏଡିଟିଂ)ରେ ୧୬୩ଟି ର‌୍ୟାଙ୍କ୍ ପ୍ରଦାନ କରାଯାଇଛି। ଏହାବ୍ୟତୀତ ଏମ୍‌.ଟେକ୍‌ରେ ରହିଥିବା ୧୧ଟି ପାଠ୍ୟକ୍ରମ ଲାଗି ୧୮୨୭ଟି ର‌୍ୟାଙ୍କ ମିଳିଛି। ସେହିପରି ବିଭିନ୍ନ ପାଠ୍ୟକ୍ରମରେ ଟପ୍ପର୍ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବି.ଫାର୍ମାରେ ଜତୀନ ମେହେର ଟପ୍ପର୍ ହୋଇଛନ୍ତି। ସେହିପରି ଲାଟେରାଲ୍ ଟେକ୍ (ଡିପ୍ଲୋମା)ରେ ଗୌରବ ସ୍ୱାଇଁ, ଲାଟେରାଲ୍ ଟେକ୍ (ବିଏସ୍‌ସି)ରେ ଏସ୍ କୁମାରୀ, ଲାଟେରାଲ୍ ଫାର୍ମାରେ ସାଗରିକା ଦାଶ, ଏମ୍‌ବିଏରେ ଅନୁରାଗ ମିଶ୍ର, ଏମ୍‌ସିଏରେ ଏସ୍ ସିଶେନ୍ଦ୍ରୀ, ବି.କ୍ୟାଟ୍‌(ସିନେ ଏବଂ ସାଉଣ୍ଡ୍‌)ରେ ନେହା ପ୍ରିୟଦର୍ଶୀନି, ବି. କ୍ୟାଟ୍‌(ଫିଲ୍ମ ଏଡିଟିଂ)ରେ ଏସ୍‌. ନାୟକ, ଏମ୍ ଫାର୍ମାରେ ହିତେଶ କୁମାର ଧଳ, ଏମ୍ ଆର୍କିଟେକ୍‌ରେ ଅସ୍ମିତା ସୁବୁଧୀ, ଏମ୍ ପ୍ଲାନ୍‌ରେ ୟୁଏମ୍ ସାହୁ ଟପ୍ପର୍ ଏବଂ ଏମ୍ ଟେକ୍‌ରେ ବିଭିନ୍ନ ପାଠ୍ୟକ୍ରମରେ ସର୍ବାଧିକ ମାର୍କ ରଖି ମନ୍‌ମିତା ବେହେରା ଟପ୍ପର୍ ହୋଇଛନ୍ତି। ଓଜେଇଇର ରେଜଲ୍ଟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ପରିଶ୍ରମ ଓ ଅଧ୍ୟବସାୟକୁ ଅବ୍ୟାହତ ରଖି ଆଗାମୀ ଜୀବନରେ ସଫଳତା ହାସଲ କରିବା ସହିତ ଜଣେ ଜଣେ ସୁନାଗରିକ ହୋଇ ଓଡ଼ିଶାର ସୁନାମକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅଧିକରୁ ଅଧିକ ଋଦ୍ଧିମନ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମର୍ଥ ବର୍ମା, ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ, ସୁକାନ୍ତ କୁମାର ପ୍ରଧାନ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଦେବପ୍ରକାଶ ଶତପଥି, ଅଧ୍ୟକ୍ଷ ଓ ରଞ୍ଜନ କୁମାର ଜେନା, ସମ୍ପାଦକ, ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Comments are closed, but trackbacks and pingbacks are open.