ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଏବେ ବିଶ୍ୱ ଅର୍ଥନୀତି ପାଇଁ ଚିନ୍ତାର କାରଣ ପାଲଟିଛି। ଯୁଦ୍ଧର ଦଶମ ଦିନରେ ହୋଇଥିବା ଭୟଙ୍କର ଆକ୍ରମଣ ବିଶ୍ୱ ବଜାରରେ ହଇଚଇ ସୃଷ୍ଟି କରିଥିବା ବେଳେ ସୋମବାର ଅଶୋଧିତ ତୈଳ ମୂଲ୍ୟରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ସାଢ଼େ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ତେଲ ଦର ବ୍ୟାରେଲ ପଛରେ ୧୦୦ ଡଲାର ଅତିକ୍ରମ କରି ୧୦୭ ଡଲାର ପାର୍ କରିଛି। ସୋମବାର ବାଣିଜ୍ୟ ଆରମ୍ଭରୁ ହିଁ ଆମେରିକାର ଅଶୋଧିତ ତେଲ (WTI) ପ୍ରାୟ ୧୭ ପ୍ରତିଶତ ବୃଦ୍ଧି ପାଇ ୧୦୬.୫୬ ଡଲାରରେ ପହଞ୍ଚିଥିବା ବେଳେ ବିଶ୍ୱ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତେଲ ପ୍ରାୟ ୧୫ ପ୍ରତିଶତ ବଢ଼ି ୧୦୬.୯୨ ଡଲାରରେ କାରବାର କରୁଛି। ମଧ୍ୟପ୍ରାଚ୍ୟରେ ତୈଳ ଡିପୋ ଉପରେ ଆକ୍ରମଣ ଏବଂ ବିଶ୍ୱର ପ୍ରମୁଖ ରପ୍ତାନି ପଥ ‘ହର୍ମୁଜ୍ ଷ୍ଟ୍ରେଟ୍’ ବନ୍ଦ ହେବା ଆଶଙ୍କା ଯୋଗୁଁ ଯୋଗାଣ ଶୃଙ୍ଖଳା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶ୍ୱର ୨୦ ପ୍ରତିଶତ ତୈଳ ଏହି ପଥ ଦେଇ ଗତି କରୁଥିବାରୁ ଏବଂ ଇରାନ ଏହାକୁ ବନ୍ଦ କରିବାକୁ ଧମକ ଦେଇଥିବାରୁ ବଜାରରେ ଏଭଳି ଅସ୍ଥିରତା ଦେଖାଦେଇଛି। ତେବେ ଏହି ସୁନାମୀ ମଧ୍ୟରେ ଭାରତୀୟଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ସରକାରୀ ସୂତ୍ର ଅନୁଯାୟୀ, ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହେବାର ବର୍ତ୍ତମାନ କୌଣସି ସମ୍ଭାବନା ନାହିଁ। ପଡ଼ୋଶୀ ଦେଶ ଓ ୟୁରୋପରେ ତେଲ ଦର ଆକାଶଛୁଆଁ ହେଉଥିଲେ ମଧ୍ୟ ଭାରତର ପର୍ଯ୍ୟାପ୍ତ ତୈଳ ଭଣ୍ଡାର ଓ ସୁଦୃଢ଼ ରଣନୀତି ଯୋଗୁଁ ଏଠାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସରକାରଙ୍କ ସାମ୍ପ୍ରତିକ ସମୀକ୍ଷା ବୈଠକରୁ ସ୍ପଷ୍ଟ ହୋଇଛି ଯେ ଦେଶର ତୈଳ ଏବଂ ଏଲପିଜି ଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ, ତେଣୁ ସାଧାରଣ ଜନତାଙ୍କ ପକେଟ୍ ଉପରେ ଏହି ବିଶ୍ୱ ସଙ୍କଟର ପ୍ରଭାବ ପଡ଼ିବ ନାହିଁ।
Comments are closed, but trackbacks and pingbacks are open.