ତୈଳ ଦର ସାଙ୍ଗକୁ ବଜାର ଦର ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ :ଖାଉଟି ହନ୍ତସନ୍ତ

22

ଦୁଇ ଦୁଇ ଥର କରୋନା ମହାମାରୀ ରେ ସାଧାରଣ ଜନତା ଧଇଁ ସଇଁ ହେଉଥିବା ବେଳେ ,ଏବେ ପୁଣି ମୁଣ୍ଡ ଉପରେ ବୋଝ ସଦୃଶ ଲଦା ଯାଇଛି ମହଙ୍ଗା ମାଡ଼ I ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ର ଦର ହୁ ହୁ ହୋଇ ବଢି ଚାଲିଛି I ଓଡ଼ିଶା ସମେତ ସମଗ୍ର ଦେଶରେ ମହଙ୍ଗା ମାଡ଼ ରେ ଜନସାଧାରଣ ହୀନସ୍ତା ହେଲେଣି। ତା ସହିତ ପରିବା ବଜାର ରେ ହାତ ଦେଇ ହେଉନି I ଖାଇବା ତେଲ ଦର ସେଞ୍ଚୁରୀ ପାର କରିଥିବାବେଳେ ,ପରିବା ଦର ପାଖାପାଖି ସେଞ୍ଚୁରୀ ଧରିଲାଣି I ଯୌଥ ପରିବାର କଥା ନ କହିବା ଭଲ ମହଙ୍ଗା ମାଡ଼ ରେ ଏଇଠି ସାଧାରଣ ଗୃହସ୍ଥ ଟି ର ବି ମେରୁଦଣ୍ଡ ଭାଙ୍ଗିଗଲାଣି I ଏ ସବୁ ର କାରଣ ହେଉଛି ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ତୈଳଦର I ଯାନବହନ ଚଳାଚଳ ସମ୍ପୂର୍ଣ୍ଣ ତୈଳଦର ଉପରେ ନିର୍ଭର କରୁଛି ,ଆଉ ବଜାର ନିର୍ଭର କରୁଛି ଯାନବାହାନ ଦ୍ୱାରା ଯୋଗାଣ ପ୍ରକ୍ରିୟା ଉପରେ Iବର୍ତ୍ତମାନ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଲିଟର ୧୦୫ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି। ଡିଜେଲ ମଧ୍ୟ ୧୦୦ ଟଙ୍କା ପାର କରି ସାରିଲାଣି।
ସପ୍ତାହକୁ ୫ ଦିନ ବଢୁଛି ପେଟ୍ରୋଲ ଓ ଡିଜେଲ ଦର Iତୈଳ ଦର ବଢି ବଢି ରେକର୍ଡ ସ୍ତରରେ ପହଞ୍ଚିଥିଲେ ମଧ୍ୟ ଏହା ହ୍ରାସ ପାଇବାର ନାଁ ଧରୁନି। ଦେଶର ଅଳ୍ପ କିଛି ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦାମ ଅପରିବର୍ତ୍ତିତ ରହିଥିଲେ ମଧ୍ୟ ଓଡ଼ିଶାରେ ବର୍ଦ୍ଧିତ ମୂଲ୍ୟରେ ରହିଛି ତୈଳଦର I
ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ୨୪ ପଇସା ବଢ଼ିଛି। ସେହି ଅନୁସାରେ ପେଟ୍ରୋଲର ଲିଟର ପିଛା ଦାମ ୧୦୭ ଟଙ୍କା ପାର କରିଛି। ପେଟ୍ରୋଲ କୁ ତାଳ ଦେଇ ଡିଜେଲର ଲିଟର ପିଛା ଦାମ ୧୦୩.୩୯ ଟଙ୍କା ପହଂଚିଲାଣି । ଗତକାଲି ପେଟ୍ରୋଲ ଓ ଡିଜେଲର ଦାମ ଅପରିବର୍ତ୍ତିତ ରହିଥିଲା।ହେଲେ ଆଜି ସକାଳୁ ପୁଣିଥରେ ଏହାର ଦର ବୃଦ୍ଧି ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାଲକାନଗିରିରେ ଏବେ ପେଟ୍ରୋଲର ଲିଟର ପିଛାର ୧୧୨.୩୬ ଟଙ୍କା ଓ ଡିଜେଲ ୧୦୮.୫୬ ଟଙ୍କାରେ ବିକ୍ରି ହେଉଛି।
ଲୋକମାନେ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି। ଅଗଷ୍ଟ-ସେପ୍ଟେମ୍ବରରେ ପେଟ୍ରୋଲ ଓ ଡିଜେଲର ଦାମ ବଢ଼ିବା ବନ୍ଦ ହୋଇଯାଇଥିଲା। କିନ୍ତୁ ସେପ୍ଟେମ୍ବର ୨୪ରୁ ଡିଜେଲ ଓ ସେପ୍ଟେମ୍ବର ୨୮ରୁ ପେଟ୍ରୋଲ ଦାମ ବଢ଼ିବା ଆରମ୍ଭ ହୋଇଥିଲା ସ୍ଥିତି ଏପରି ହୋଇଛି ଯେ ୩ ସପ୍ତାହ ମଧ୍ୟରେ ପେଟ୍ରୋଲର ଲିଟର ପିଛା ଦାମ ସମଗ୍ର ଦେଶରେ ୪.୬୫ ଟଙ୍କା ଓ ଡିଜେଲର ଲିଟର ପିଛା ୫.୯୫ ଟଙ୍କା ବଢ଼ି ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। ତୈଳ ଦର ଉପରେ ନିୟନ୍ତ୍ରଣ ଆଣିବାପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉଦ୍ୟମ କରିବା ତଥା ପେଟ୍ରୋଲ ଓ ଡିଜେଲ କୁ ଜିଏସଟି ପରିସର ଭୁକ୍ତ କରିବାପାଇଁ ବୁଦ୍ଧିଜୀବୀ ମାନେ ମତ ଦେଲେଣି I

Leave A Reply

Your email address will not be published.