କିମ୍‍ସରେ ହେଲା ଓଡ଼ିଶାର ପ୍ରଥମ ହାଇବ୍ରିଡ୍‍ ଅସ୍ତ୍ରୋପଚାର

24

ଭୁବନେଶ୍ୱର, ୨୪ ।୧: ଓଡ଼ିଶାରେ ପ୍ରଥମ ଥର ଲାଗି ହାଇବ୍ରିଡ୍‍ ଅସ୍ତ୍ରୋପଚାର କରିଥିବା କିମ୍‍ସ-ଭୁବନେଶ୍ୱରର ଡାକ୍ତରମାନେ ଦାବି କରିଛନ୍ତି । ନିକଟରେ କିମ୍‍ସ-ଭୁବନେଶ୍ୱରରେ କଟକ ଜିଲ୍ଲା ବାଙ୍କୀ ବ୍ଳକ ଅନ୍ତର୍ଗତ ରତାଗଡ଼ ଗ୍ରାମର ଜନୈକ ମହିଳାଙ୍କ ମୁଖ୍ୟ ରକ୍ତନଳୀର ସଫଳ ହାଇବ୍ରିଡ୍‍ ଅସ୍ତ୍ରୋପଚାର କରାଯାଇଛି । ୫୦ବର୍ଷ ବୟସ୍କା ମହିଳା ସୁଷମା ରଣା ପିଠିର ଉପରଭାଗ ଓ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ସେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ବିଭିନ୍ନ ଡାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ କରି ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ସୁଷମା ଜାନୁଆରୀ ୧୮ତାରିଖରେ କିମ୍‍ସ-ଭୁବନେଶ୍ୱର ଆସି ହୃଦରୋଗ ବିଭାଗ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ପରେ ସୁଷମାଙ୍କ ହୃଦପିଣ୍ଡରୁ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ରକ୍ତ ସଞ୍ଚାଳନ ହେଉଥିବା ମୁଖ୍ୟ ରକ୍ତନଳୀ ଫାଟିଯାଇ ଇଣ୍ଟରନାଲ୍‍ ବ୍ଲିଡିଂ ହେଉଥିବା ଜଣାପଡ଼ିଥିଲା । ତେଣୁ ତୁରନ୍ତ ତାଙ୍କର ହାଇବ୍ରିଡ୍‍ ଅସ୍ତ୍ରୋପଚାର ପାଇଁ ଡାକ୍ତର ନିଷ୍ପତ୍ତି ନେଇଥିଲେ । ପ୍ରଥମେ କିମ୍‍ସର କାର୍ଡିଓଥୋରାସିକ୍‍ ଓ ଭାସ୍‍କୁଲାର ସର୍ଜରୀ (ସିଟିଭିଏସ୍‍) ବିଶେଷଜ୍ଞ ଡା. ଏ. ଶାରଦା ଏବଂ ଡା. ଚନ୍ଦନ କୁମାର ରାୟମହାପାତ୍ରଙ୍କ ନେତୃତ୍ୱରେ ତାଙ୍କର ବାଇପାସ୍‍ ଅସ୍ତ୍ରୋପଚାର କରାଯାଇ ମୁଖ୍ୟ ରକ୍ତନଳୀରୁ ବାମ ହାତ ଓ ମସ୍ତିସ୍କକୁ ରକ୍ତ ସଞ୍ଚାଳନ କରୁଥିବା ରକ୍ତନଳୀ ସହ ଦୁଇଟି ନଳୀ ସଂଯୋଗ କରାଯାଇଥିଲା । ପରେ ହୃଦରୋଗ ବିଶେଷଜ୍ଞ ଡା. ଅନୁପମ ଜେନାଙ୍କ ଦ୍ୱାରା ଷ୍ଟେଣ୍ଟି କରାଯାଇ ମୁଖ୍ୟ ରକ୍ତନଳୀର ଫାଟି ଯାଇଥିବା ସ୍ଥାନକୁ ବନ୍ଦ କରାଯାଇଥିଲା । କିମ୍‍ସର ନିଶ୍ଚେତକ ବିଶେଷଜ୍ଞ ଡା. ଅଶୋକ କୁମାର ବଡ଼ମାଳିଙ୍କ ସହାୟତାରେ ଏହି ହାଇବ୍ରିଡ୍‍ ଅସ୍ତ୍ରୋପଚାର ୪ରୁ ୫ଘଣ୍ଟା ସମୟ ଲାଗିଥିଲା ବୋଲି ଡା. ଜେନା କହିଛନ୍ତି । ଏହାର ତୁରନ୍ତ ଅସ୍ତ୍ରୋପଚାର କରାଯାଇ ନ ଥିଲେ ହୃଦ୍‍ଘାତ, ମସ୍ତିଷ୍କାଘାତ, ଯକୃତ ଅକାମୀ, ଅଗ୍ନାଶୟରେ ସମସ୍ୟା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାନ୍ତା ଏବଂ ଜୀବନ ପ୍ରତି ବିପଦ ରହିଥାନ୍ତା ବୋଲି ଡା. ଜେନା କହିଛନ୍ତି । ଏଭଳି ହାଇବ୍ରିଡ୍‍ ଅସ୍ତ୍ରୋପଚାର ପାଇଁ ସାଧାରଣତଃ ୧୪ରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଓ ଏଥିପାଇଁ ରୋଗୀକୁ ଓଡ଼ିଶା ବାହାରକୁ ଯିବାକୁ ପଡ଼ୁଥିବା ବେଳେ କିମ୍‍ସରେ ବିଏସ୍‍କେୱାଇ ଯୋଜନାରେ ମାତ୍ର ୬ଲକ୍ଷ ୫୦ ହଜାର ଟଙ୍କାରେ ସୁଷମାଙ୍କର ଅସ୍ତ୍ରୋପଚାର କରାଯାଇପାରିଲା ବୋଲି ସେ କହିଛନ୍ତି । ଅସ୍ତ୍ରୋପଚାରର ୫ ଦିନ ପରେ ସୁଷମା ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି । କିମ୍‍ସର ଡାକ୍ତରମାନଙ୍କ ଚିକିତ୍ସା ଯୋଗୁଁ ତାଙ୍କର ଜୀବନ ବଞ୍ଚିଗଲା ବୋଲି ସୁଷମା କହିଛନ୍ତି । ଏଥିପାଇଁ କିମ୍‍ସ କର୍ତ୍ତୃପକ୍ଷଙ୍କୁୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed, but trackbacks and pingbacks are open.