୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ:ମୋଦି

64

କଟକ: ଅନୁଗୁଳ ପରେ କଟକରେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମୋଦି । କଟକରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ ବୋଲି କହିଛନ୍ତି ମୋଦି ।ଭାରତ ବର୍ଷର ପୁରୂଣା ସହର ମଧ୍ୟରୁ କଟକ ହେଉଛି ଗୋଟିଏ । ଜୁନ୍‌ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଓଡିଶାରେ ଶପଥ ନେବା ନିଶ୍ଚିତ । ମୋଦି ସରକାର ଦିଲ୍ଲୀରେ ଶପଥ ନେବା ବି ନିଶ୍ଚିତ ବୋଲି କହିଲେ ମୋଦି। କଟକ ଆଧୁନିକ ଶିକ୍ଷାର ନଗରୀ,ବିକଶିତ ଭାରତର ସାମର୍ଥ୍ୟ ବଢାଇବ କଟକ  । କଟକରେ ସବୁ ଅଛି କିନ୍ତୁ ବିଜେଡି ସରକାର କୌଣସି ବିକାଶ କରୁନାହାଁନ୍ତି ।

ସେ କହିଛନ୍ତି, ବିଜେଡିର ଭ୍ରଷ୍ଟାଚାରୀ ରାକେଟକୁ ନେଇ ଲୋକ ଅତିଷ୍ଠ ହେଲେଣି । ଚିଟ୍‌ଫଣ୍ଡ ଦୁର୍ନୀତିରେ ବିଜେଡି ଓଡ଼ିଶା ଲୋକଙ୍କୁ ଧୋକା ଦେଇଛି ।ବିଜେଡି ଓଡ଼ିଶାକୁ ଲ୍ୟାଣ୍ଡ, ସ୍ୟାଣ୍ଡ, କୋଇଲା ମାଫିଆ ଦେଇଛି । ଓଡ଼ିଶାର ସଂସ୍କୃତି ବୁଝୁନଥିବା ଲୋକ କିଭଳି ଓଡିଶାର ନେତୃତ୍ବ ନେବ । ବିଜେଡିକୁ ୨୫ ବର୍ଷ ଦେଲେ ,ହେଲେ ଏଠାରେ ସେପରି କିଛି ବିକାଶ ହୋଇନାହିଁ । ଓଡ଼ିଶାକୁ ବିଜେଡି ସରକାର ପଛକୁ ନେଇଯାଇଛି । ଏବେ ଓଡ଼ିଶା ପାଇଁ ଡବଲ ଇଂଜିନ ସରକାର ଦରକାର। ଏଠାରେ ବିଜେପିର ପୂର୍ଣ୍ଣ ବହୁମତ ସରକାର ହେବାକୁ ଯାଉଛି । ବିଜେପି ହିଁ ଓଡ଼ିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ସ୍କୁଲ, ପାନୀୟ ଜଳ, ସ୍ବାସ୍ଥ୍ୟସେବାର ଅନେକ ଅଭାବ ରହିଛି ।  ଡିଏମ୍‌ଏଫ୍‌ରେ ଓଡ଼ିଶାକୁ ୨୬ ହଜାର କୋଟି ଟଙ୍କା ମିଳିଛି । କେନ୍ଦ୍ରୀୟ ଟଙ୍କା କାହା ପକେଟକୁ ଗଲା ପଚାରିଲେ ମୋଦି। ବିଜେଡିର ଭ୍ରଷ୍ଟ ସରକାର ଏ ଅନୁଦାନକୁ ଗୋଳମାଳ କରିଛି କହିଛନ୍ତି ମୋଦି ।

କଟକର ଚାରିପଟେ ନଦୀ ଘେରି ରହିଛି, ତଥାପି ଏଠାରେ ପିଇବା ପାଣି ସମସ୍ୟା ରହିଛି। ଏହାର କାରଣ ଏଠିକାର ସରକାର ପ୍ରକଳ୍ପକୁ ଅଟକାଇ ରଖିଛନ୍ତି । ବିଜେଡି ଗରିବଙ୍କୁ ନୂଆ ପକ୍କା ଘର ଦେବାରେ ଅନ୍ତରାୟ ସାଜୁଛି। ଗରିବଙ୍କୁ ହଇରାଣ କେବଳ ଶତ୍ରୁ ହିଁ କରିପାରେ ବୋଲି ମୋଦି କହିଛନ୍ତି। ତେବେ ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର। ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବ। ଆପଣମାନଙ୍କର ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ ବୋଲି ମୋଦି କହିଛନ୍ତି।

ବିଜେଡି ସରକାର ପାଇଁ ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି। ଜଣେ ମାଫିଆ ଅଛି ଯିଏ ପ୍ରତି ସେକ୍ଟର ଉପରେ କବ୍‌ଜା କରି ବସିଛି  । ଯିଏକି ଆଉ କାହାକୁ ଏଠି ଆଣିବାକୁ ଦେଉନି । ଜୁନ୍‌ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ ବୋଲି କହିଛନ୍ତି।  ଓଡ଼ିଶାରେ ନିବେଶ ଦରକାର, ନୂଆ ଉଦ୍ୟୋଗ , ଶିକ୍ଷା ,ଶିଳ୍ପରେ ବିକାଶ ଦରକାର। ଯାହା ବିଜେପି ହିଁ କରିପାରିବ । ଓଡ଼ିଶାର ହେବାକୁ ଥିବା ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସବୁ ସହଯୋଗ କରାଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଏହିପରି କଟକରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମୋଦି।

Comments are closed, but trackbacks and pingbacks are open.