ଭୁବନେଶ୍ୱର: ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ସବୁ ଯୋଜନା ଗୁଡ଼ିକ କୃଷିକ୍ଷେତ୍ରରେ କୃଷକମାନଙ୍କୁ ଆତ୍ମନିର୍ଭର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଦେଶର ୧୦୦ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଛି। ଏଥିସହିତ ରାଜ୍ୟର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଜିଲ୍ଲାରେ ମଧ୍ଯ ଆଜି ଠାରୁ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ କରାଗଲା । ଏହି ଯୋଜନାରେ ସାରା ଦେଶରେ ଆସନ୍ତା ୬ ବର୍ଷ ପାଇଁ ବର୍ଷକୁ ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଦେଶର ୧.୭ କୋଟି କୃଷକ ଉପକୃତ ହେବେ । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ସମ୍ୱଲପୁରର ବସନ୍ତପୁର ଠାରେ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ଏବଂ ଭୁବନେଶ୍ୱରର ପାଣ୍ଡରା ଠାରେ ପ୍ରାୟ ୬୦ କୋଟି ଟଙ୍କାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ କେବଳ ଓଡିଶାର ନୁହେଁ, ସାରା ଦେଶର ପ୍ରମୁଖ ଜୀବିକା । ଆଜି ବି ଓଡିଶାର ୬୦ ପ୍ରତିଶତରୁ ଅଧିକ ଏବଂ ଦେଶର ପ୍ରାୟ ୫୦ ପ୍ରତିଶତ ଲୋକେ ଏହା ମାଧ୍ୟମରେ ଜୀବିକା ନିର୍ବାହ କରିଥାନ୍ତି । ତେଣୁ, ମୋଦୀଜୀଙ୍କ ସରକାର ୨୦୧୪ ମସିହାରୁ କୃଷକଙ୍କ ପାଇଁ ଅଭୂତପୂର୍ବ କଲ୍ୟାଣକାରୀ ଯୋଜନାଗୁଡିକ ପ୍ରଣୟନ କରିଆସୁଛନ୍ତି, ଯାହା ଫଳରେ ଆଜି କୃଷକ ସମାଜର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିଛି।
Prev Post
Next Post
Comments are closed, but trackbacks and pingbacks are open.