ଖୋର୍ଦ୍ଧା ଜିଲ୍ଲାରେ ହେବ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର

85

ଭୁବନେଶ୍ୱର: ପାଇକ ସମୂହର ବିକାଶ ଲକ୍ଷରେ ଖୋର୍ଦ୍ଧା ଜିଲ୍ଲାରେ ତିଆରି ହେବ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର । ଏ ନେଇ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ । ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଦେଶ ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

5 ଟି ସଚିବ ଭିକେ ପାଣ୍ଡିଆନ ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ପାଇକ ସଂଗଠନର ସଦସ୍ୟମାନଙ୍କୁ ଭେଟିଥିଲେ । ପାଇକ ପରମ୍ପରାର ସୁରକ୍ଷା ଓ ପ୍ରସାର ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିଥିଲେ । ଓଡ଼ିଶା ଇତିହାସରେ ପାଇକ ପରମ୍ପରାକୁ ଗୌରବମୟ ଅଧ୍ୟାୟ ଭାବରେ ଶ୍ରୀ ପାଣ୍ଡିଆନ ବର୍ଣ୍ଣନା କରିଥିଲେ ଏବଂ ଏହାର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ପରେ ଏ ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ପାଇକ ସମୂହର ବିକାଶ ନିମନ୍ତେ ଏପରି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି l

ପାଇକମାନଙ୍କ ସାମୁହିକ ବିକାଶ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ ଓ ଗବେଷଣାର ବ୍ୟବସ୍ଥା ରହିବ । ଶିକ୍ଷାର୍ଥୀମାନଙ୍କ ପାଇଁ ଛାତ୍ର ବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଏହି କେନ୍ଦ୍ର ଗଡ ଖୋର୍ଦ୍ଧା ଠାରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରିବ । ପରେ ଯଥାଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଓ ଡି.ପି.ଆର ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

୧୮୧୭ ଖୋର୍ଦ୍ଧା ମାଟିରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ହୋଇଥିଲା ପାଇକ ବିଦ୍ରୋହ । ଇଂରେଜ ଶାସନ ବିରୁଦ୍ଧରେ ଏହା ଥିଲା ଦେଶର ପ୍ରଥମ ବିଦ୍ରୋହ ବୋଲି ଐତିହାସିକ ମାନେ ମତପ୍ରକାଶ କରନ୍ତି । ଏହି ମହାନ ପାଇକ ପରମ୍ପରାକୁ ଉଜ୍ଜିବିତ କରି ରଖିବା ସହ ଏ ଦିଗରେ ଅଧିକ ଗବେଷଣା ପାଇଁ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ମାର୍ଗ ପ୍ରଶସ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed, but trackbacks and pingbacks are open.