କୋଭିଡ ମୁକାବିଲାରେ ଓଡିଶା ଆଗରେ

25

କରୋନା ମହାମାରୀ ର କରାଳ ରୂପ ଯେତେବେଳେ ସାରା ଦେଶକୁ କବଳିତ କରି ରଖିଥିଲା , ସେତେବେଳେ କିପରି ମହାମାରୀକୁ ରୋକାଯାଇ ପାରିବ , ସେନେଇ ଆଗୁଆ ପଦକ୍ଷେପ ନେଇଥିଲାଓଡ଼ିଶା । ଦେଶରେ ତାଲାବନ୍ଦ ଆରମ୍ଭ ହେବା ପୂର୍ବରୁ ରାଜ୍ୟର କିଛି ଜିଲ୍ଲା ଓ ସହରାଞ୍ଚଳରେ, ସଟଡାଉନ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏପରି କରି ନିଜ ଦୂରଦୃଷ୍ଟିର ପରିଚୟ ଦେଇଥିଲେ ନବୀନ ।
କରୋନା ମୁକାବିଲା ପାଇଁ କିପରି ସ୍ୱାସ୍ଥ୍ୟ ଭିତ୍ତିଭୂମିର ତ୍ୱରିତ ବିକାଶ କରାଯିବ, କିପରି ସମସ୍ତ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ, ଏନେଇ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କମ୍ ସମୟ ମଧ୍ୟରେ ପ୍ରାୟ ସବୁ ଜିଲ୍ଲାରେ ଉର୍ତ୍ସଗୀକୃତ କୋଭିଡ୍ ହସପିଟାଲ୍, କୋଭିଡ୍ ହେଲଥ୍ ସେଣ୍ଟର ଗଢ଼ି ଉଠିଲା । ଆବଶ୍ୟକ ହେଉଥିବା ଆଇସିୟୁ ବେଡ୍, ଭେଣ୍ଟିଲେଟର ଓ ଅକ୍ସିଜେନଯୁକ୍ତ ବେଡ୍ ପାଇଁ ପଦକ୍ଷେପ ନେଇଥିଲେ ସରକାର । ପଞ୍ଚାୟତ ଓ ବ୍ଳକ ସ୍ତରରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଥିଲା ।
ମହାମାରୀର ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ଆଉ ଏକ ଦୂରଦୃଷ୍ଟିର ପରିଚୟ ଦେଇଥିଲେ ନବୀନ । ଏପଟେ ଲୋକଙ୍କ ସଚେତନ ପାଇଁ ବିଶେଷ ପ୍ରୟାସ କରିଥିଲେ ରାଜ୍ୟ ସରକାର । ଗଣମାଧ୍ୟମରେ ମହାମାରୀ ସମ୍ପର୍କରେ ଟିକିନିଖି ସୂଚନା ଦିଆଯାଇଥିଲା । କରୋନା କଟକଣା ପାଳନ କରିବା ପାଇଁ ନିଜେ ବାରମ୍ବାର ଲୋକଙ୍କୁ ଅପିଲ୍ କରିଥିଲେ ନବୀନ । ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲା ଓ ସହରର ଦାୟିତ୍ୱ ଦେଇ ମହାମାରୀ ମୁକାବିଲାକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେ ନେଇ ଯୋଜନାବଦ୍ଧ ପଦକ୍ଷେପ ନିଆଯାଇଥିଲା । ଫଳରେ କରୋନା ଭଳି ବିଶ୍ୱ ମହାମାରୀ ମୁକାବିଲାରେ ପଛରେ ପଡିନଥିଲା ଓଡ଼ିଶା ।
ମହାମାରୀର ସଫଳ ମୁକାବିଲା ଯୋଗୁଁ ରାଜ୍ୟରେ ମୃତ୍ୟୁହାର କମ ଥିବା ବେଳେ ସୁସ୍ଥହାର ଆଖିଦୃଶିଆ ରହିଛି । ଏପଟେ କରୋନାର ଦ୍ୱିତୀୟ ଲହର ବେଳେ ଅକ୍ସିଜେନ୍ ସଙ୍କଟକୁ ନେଇ ଯେତେବେଳେ ସାରା ଦେଶରେ ହାହାକାର ସ୍ଥିତି ଉପୁଜିଥିଲା, ସେତିକିବେଳେ ଅକ୍ସିଜେନ୍ ଉତ୍ପାଦନ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲା ଓଡ଼ିଶା । ନିଜ ଚାହିଦା ମେଣ୍ଟାଇବା ସହ ଅନ୍ୟରାଜ୍ୟକୁ ଅକ୍ସିଜେନ୍ ଯୋଗାଇ ଦେଶକୁ ଏକ ବଡ଼ ସଙ୍କଟରୁ ମୁକାଳିବା ପାଇଁ ଉଦ୍ୟମ କରିଥିଲେ ନବୀନ ସରକାର । ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲା ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ମେଡିକାଲ ଜର୍ଣ୍ଣାଲ ଲାନ୍ସେଟ୍ ।
କରୋନା ଟିକାକରଣରେ ମଧ୍ୟ ପଛରେ ପଡିନାହିଁ ଓଡ଼ିଶା । ଏପଟେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ସମ୍ଭାବନା ଥିବାରୁ ସେମାନଙ୍କ ପାଇଁ ଡାକ୍ତରଖାନାରେ ସଂରକ୍ଷଣ ବ୍ୟବସ୍ଥା କରିବା ସହ ତୃତୀୟ ଲହର ମୁକାବିଲା ପାଇଁ ଦେଶର ବଡ଼ ବଡ଼ ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଆଡଭାଇଜରି କମିଟି ଗଠନ କରାଯାଇଛି । ପିଲାମାନଙ୍କ ପାଇଁ ହସପିଟାଲରେ ଆଇସିୟୁ ବେଡ୍ ପ୍ରସ୍ତୁତ କରାଯାଇଛି । ମୋଟାମୋଟି କହିବାକୁ ଗଲେ ଆଗୁଆ ପଦକ୍ଷେପ ନେବାରେ ଆଗରେ ରହିଛି ଓଡ଼ିଶା । ବର୍ତ୍ତମାନ ରାଜ୍ୟରେ କରୋନା ଗ୍ରାଫ ଧୀରେ ଧୀରେ ନିମ୍ନ ମୁଖି ହେଉଛି ,ସେହି ଅନୁପାତରେ ଆକ୍ରାନ୍ତ ଙ୍କ ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି I ମୋଟାମୋଟି କରୋନା ରାଜ୍ୟ ପାଇଁ ଏବେ ଟିକେ ଆଶ୍ବସ୍ତି ଆଣି ଦେଇଛି କିନ୍ତୁ କରୋନା କଟକଣା କୁ ନେଇ ଯେ କୌଣସି ଲାପରବାହୀ ପୁଣି ଥରେ ମହାମାରୀକୁ ମୁଣ୍ଡଟେକିବା ପାଇଁ ସୁଯୋଗ ନ ଦେଉ I

Leave A Reply

Your email address will not be published.