୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ରେ ଓଡ଼ିଶା ହକି ଦଳର ଐତିହାସିକ ବିଜୟ

59

ଟିମ୍ ଓଡ଼ିଶା ଜିତିଲା ସ୍ବର୍ଣ୍ଣ ପଦକ, ଟିମ୍ ର କ୍ୟାପଟେନଙ୍କୁ ଆଭାସୀ ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, (୧୬/୧୧): ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ରେ ଓଡ଼ିଶା ହକି ଦଳ ଆଜି ସ୍ବର୍ଣ୍ଣ ପଦକ ହାସଲ କରିଛି। ଚେନ୍ନାଇର ମେୟର ରାଧାକ୍ରିଷ୍ଣନନ୍‌ ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ଆଜିର ମ୍ୟାଚ୍ ରେ ଟିମ୍ ହରିୟାଣାକୁ ପରାସ୍ତ କରି ଟିମ୍ ଓଡ଼ିଶା ଏହି ଐତିହାସିକ ବିଜୟ ହାସଲ କରିଛି।

ଆଜି କଳିଙ୍ଗ ଷ୍ଟାଡିୟମ୍ ରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ବରିଷ୍ଠ ଅଧିକାରୀ, ଭାରତୀୟ ପୋଲିସ ସେବାର ଶିକ୍ଷାନବିସ, ହାଇ ପରଫରମାନ୍ସ ସେଣ୍ଟର ଓ କ୍ରୀଡ଼ା ଛାତ୍ରବାସର କ୍ରୀଡ଼ାବିତ୍ ମାନେ ଆଭାସୀ ମାଧ୍ୟମରେ ଆଜି ଓଡ଼ିଶା ଓ ହରିୟାଣା ମଧ୍ୟରେ ହେଉଥିବା ଫାଇନାଲ ମ୍ୟାଚ୍ ଦେଖିଥିଲେ।

ଓଡ଼ିଶା ଟିମ୍ ର ଏହି ଐତିହାସିକ ବିଜୟ ପରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଟିମ୍ ର କ୍ୟାପଟେନ୍‌ ଦୀପ୍ସନ୍‌ ତିର୍କୀଙ୍କୁ ଟିମ୍ ଓଡ଼ିଶାର ବିଜୟ ପାଇଁ ଆଭାସୀ ମାଧ୍ୟମରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

କ୍ରୀଡାମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, ପ୍ରଥମଥର ପାଇଁ ଟିମ୍ ଓଡ଼ିଶା ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଆଜି ଓଡ଼ିଶା କ୍ରୀଡା ଜଗତ ପାଇଁ ଏକ ଐତିହାସିକ ଦିନ। ଟିମ୍ ଓଡ଼ିଶାର ଏହି ବିଜୟ ଆଗାମୀ ଦିନରେ ଓଡ଼ିଶାର ଅନେକ ଯୁବ କ୍ରୀଡ଼ାବିତ୍‌ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଆଜି ଅନୁଷ୍ଠିତ ହୋଇଥିବା ମ୍ୟାଚ୍ ରେ ଟିମ୍ ଓଡ଼ିଶା ୫-୧ ଗୋଲ୍ ରେ ଟିମ୍ ହରିୟାଣାକୁ ପରାସ୍ତ କରି ଏହି ଐତିହାସିକ ବିଜୟ ହାସଲ କରିଛନ୍ତି। ଟିମ୍ ଓଡ଼ିଶାର କ୍ରୀଡ଼ାବିତ୍ ଶିଲାନନ୍ଦ ଲାକ୍ରା ଓଡ଼ିଶା ପାଇଁ ହ୍ୟାଟ୍ରିକ ଗୋଲ୍ କରିଥିବା ବେଳେ କ୍ରୀଡ଼ାବିତ୍ ରଜତ ଆକାଶ ତିର୍କୀ ଓ ପ୍ରତାପ ଲାକ୍ରା ଉଭୟ ଗୋଟିଏ ଗୋଟିଏ ଗୋଲ୍ କରିଥିଲେ। ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତ୍ ଶିଲାନନ୍ଦ ଲାକ୍ରାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ମଧ୍ୟ ଘୋଷଣା କରାଯାଇଛି।

ଟିମ୍ ଓଡ଼ିଶାର କୋଚ୍ ବିଜୟ କୁମାର ଲାକ୍ରା ଦଳର ଐତିହାସିକ ବିଜୟ ପାଇଁ ଖୁସିବ୍ୟକ୍ତ କରିଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଟିମ୍ ଓଡ଼ିଶାର ଏହି ବିଜୟଗାଥା ଜାରି ରହୁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଟିମ୍ ର କ୍ୟାପଟେନ୍‌ ଦିପ୍ସନ୍ ତିର୍କୀ ଟିମ୍‌ ର ସଫଳତା ପାଇଁ ଖୁସି ଥିବା ବେଳେ ଦୀର୍ଘ ଦିନରୁ ଜାରି ରହିଥିବା ପରିଶ୍ରମର ଫଳ ଆଜି ଟିମ୍ କୁ ମିଳିଛି ବୋଲି କହିଛନ୍ତି।

ହକି ପ୍ରମୋସନ୍ କାଉନସିଲ୍ ର ସିଇଓ ଶ୍ରୀ ଦୀପଙ୍କର ମହାପାତ୍ର ମଧ୍ୟ ଟିମ୍ ଓଡ଼ିଶାର କ୍ରୀଡ଼ାବିତ୍ ମାନଙ୍କୁ ଆଭାସୀ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।

Comments are closed, but trackbacks and pingbacks are open.