ଗୋପାଳକୁ ବଞ୍ଚାଇବା ପାଇଁ ଚେଷ୍ଠା କରୁଛନ୍ତି ଓଡ଼ିଶା ସରକାର: ଜୟନାରାୟଣ ମିଶ୍ର

26

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ପାଗଳ ନୁହେଁ ବୋଲି ରିପୋର୍ଟ ଆସିବା ପରେ ଆଜି ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଗୋପାଳକୁ ବଞ୍ଚାଇବା ପାଇଁ ଓଡ଼ିଶା ସରକାର ପାରୁ ପର୍ଯ୍ୟନ୍ତ ଲାଗିଛି ବୋଲି ଜୟନାରାୟଣ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପୋଲିସ ଗୋପାଳକୁ କାହିଁକି ପାଗଳ ସଜାଇବାକୁ ଚାହୁଁଛି ତାହା ଏବେ ଅତି ସ୍ପଷ୍ଟ ହୋଇଯାଇଛି।ଭାରତୀୟ ସମ୍ବିଧାନର ଦଣ୍ଡବିଧାନ ଆଇନ୍ ଅନୁସାରେ ପାଗଳ ପାଇଁ ଦଣ୍ଡ କୋହଳ ଅଛି । ଆଉ ଗୋପାଳକୁ ପାଗଳ ସଜାଇ ଦଣ୍ଡ ବିଧାନକୁ କୋହଳ କରିବା ଲାଗି ଯୋଜନା କରାଯାଉଥିବା କହିଛନ୍ତି ଜୟନାରାୟଣ ମିଶ୍ର ।

ଗୋପାଳ ଦାସ ଦ୍ୱାରା ନବ ଦାସଙ୍କୁ ହତ୍ୟା ପଛରେ କିଏ ? ହତ୍ୟାର ଉଦ୍ଦେଶ୍ୟ କଣ ? ତଦନ୍ତରୁ ଏସବୁ ବାହାର କରିବା ଲାଗି ଏବେ ଯାଏ ଚେଷ୍ଟା କରାଯାଉ ନାହିଁ । ଅନ୍ୟପଟେ ନବଙ୍କୁ ଗୋପାଳ ଗୁଳି କରିବାର କିଛି ସମୟ ପରେ ସ୍ତ୍ରୀ ଓ ଡାକ୍ତର ମାନସିକ ରୋଗୀ ବୋଲି ମନ୍ତବ୍ୟ ଦେବା ଏକ ଷଡ଼ଯନ୍ତ୍ର । ଏହା ପଛରେ ନିଶ୍ଚିତ ଷଡ଼ଯନ୍ତ୍ର ରହିଛି । ତଦନ୍ତରେ ଷଡ଼ଯନ୍ତ୍ରକୁ ଧରାଯିବା କଥା । ହେଲେ ଘଟଣାକୁ ଏକ ଟ୍ୱିଷ୍ଟ ଦେବାକୁ ଚେଷ୍ଟା କରାଯାଉଛି । ଯେଉଁମାନେ ସୁପାରି ଦେଇଛନ୍ତି, ସେମାନେ ଗୋପାଳକୁ ବୋଧେ ଆସୁରାନ୍ସ ଦେଇଛନ୍ତି । ହତ୍ୟା କଲେ ବି ତୋ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ତୋତେ ବଞ୍ଚାଇ ଦିଆଯିବ । ଯେଉଁଥିପାଇଁ ସରକାର ପାରୁ ପର୍ଯ୍ୟନ୍ତ ଲାଗିଥିବା ଜୟନାରାୟଣ କହିଛନ୍ତି ।

ଗୋପାଳ ପାଗଳ ନୁହେଁ ବୋଲି ଡାକ୍ତରୀ ଦଳ କହିଥିବା ବେଳେ କାହିଁକି ପୋଲିସ ପ୍ରମାଣିତ କରିବାକୁ ଚାହୁଁଛି ? କାହିଁକି ଅଧିକ ପରୀକ୍ଷା ପାଇଁ ପୋଲିସ ଚାହୁଁଛି ? ଡାକ୍ତରୀ ଦଳ ଦେଇଥିବା ରିପୋର୍ଟକୁ ଚୂଡ଼ାନ୍ତ ବୋଲି ଧରି ନିଅନ୍ତୁ । ଯଦି ମାନସିକ ଅବସ୍ଥା ଠିକ୍ ନାହିଁ ତାହେଲେ କେମିତି ବୟାନ ରେକର୍ଡ କଲେ, ମାଜିଷ୍ଟ୍ରେଟଙ୍କ ନିକଟରେ କିଭଳି ହାଜର କଲେ । ହତ୍ୟା ଓ ଗୋପାଳକୁ ଖସାଇବା ଷଡ଼ଯନ୍ତ୍ରରେ ବଡ଼ ବଡ଼ ଲୋକ ସମ୍ପୃକ୍ତ । ଏ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଉ । ନହେଲେ ଅନ୍ୟ ଘଟଣା ଭଳି ଓଡ଼ିଶା ପୋଲିସ ମଧ୍ୟ ଏ ଘଟଣାକୁ ଚପାଇ ଦେବ ବୋଲି ଆଶଙ୍କା କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

Comments are closed, but trackbacks and pingbacks are open.