ବିଧାନସଭାରେ ଉପସ୍ଥାପନ ହେଲା ରାଜ୍ୟ ବଜେଟ । ୨୦୨୩-୨୪ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିଛି । ବଜେଟରେ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୫ଶହ ୨୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନେଇ ମଧ୍ୟ ଘୋଷଣା କରିଛନ୍ତି ସରକାର । ସେହିପରି ବଜେଟରେ ମିଶନ ଶକ୍ତିକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ ଦେଇଛନ୍ତି । ମିଶନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ମିଶନ ଶକ୍ତି ସ୍କୁଟର ଯୋଜନାରେ ମିଳିବ ସ୍କୁଟର । ଏଥିପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
କୃଷି ବଜେଟରେ ରାଜ୍ୟ ସରକାର କାଳିଆ ଯୋଜନା ପାଇଁ ୧୮ ଶହ ୭୯ କୋଟିର ବ୍ୟୟବରାଦ କରିଛନ୍ତି । ପାନୀୟ ଜଳ ଯୋଗାଣ ପାଇଁ ମୋଟ ୧୩ ହଜାର ୨୧୫କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ବସୁଧା ଯୋଜନା ପାଇଁ ୪୭୫୦ କୋଟି, ଜଳଜୀବନ ମିଶନ ପାଇଁ ୭୫୦ କୋଟି ବ୍ୟୟବରାଦ କରାଯାଇଛି । ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ପାଇଁ ୩୨୦ କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ୬ ଶହ ୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ପାଇଁ ୩୦ କୋଟି ଓ ଅବଢା ଯୋଜନା ପାଇଁ ୨୨୪ କୋଟି ଖର୍ଚ୍ଚ ହେବ । ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ ପରି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ସିଧାସଳଖ ବିମାନ ସେବା ପାଇଁ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ଚଳିତ ଆର୍ôଥକ ବର୍ଷରେ ଏଥିପାଇଁ ଶହେ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୫ଟି ମହାନଗର ନିଗମର ଆଉ ୧ ଲକ୍ଷ ପରିବାରକୁ ଜମି ପଟ୍ଟା ପ୍ରଦାନ କରିବେ ରାଜ୍ୟ ସରକାର । ସହରାଞ୍ଚଳରେ ଜଳ ଯୋଗାଣ ପାଇଁ ମୋଟ ୧୪୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ରାଜ୍ୟରେ ଆରମ୍ଭ ହେବ ଆମ ହସ୍ପିଟାଲ ଯୋଜନା । ଖର୍ଚ୍ଚ ହେବ ୭୫୦ କୋଟି ।
ରାଜ୍ୟ ବଜେଟରେ ଜନ ସ୍ୱାସ୍ଥ୍ୟସେବା ପାଇଁ ୧୬,୦୪୮ କୋଟି ବ୍ୟୟବରାଦ କରାଯାଇଛି । ଜନସାଧାରଣଙ୍କୁ କେମୋଥେରାପି, ଅଙ୍କୋ ସର୍ଜରୀ, ରେଡିଓଥେରାପି ଓ ପୀଡା ଉପଶମକାରୀ କର୍କଟରୋଗର ଚିକିତ୍ସା ପାଇଁ ୩ଟି ପର୍ଯ୍ୟାୟରେ ୧୧ଟି କେନ୍ଦ୍ର ପ୍ରତିଷ୍ଠା ହେବ । ଏଥିପାଇଁ ବଜେଟରେ ୧ ହଜାର ୪୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବଢିଲା ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ।ଗ୍ରାମାଞ୍ଚଳରେ ଏହି ସହାୟତା ରାଶିକୁ ୨ ହଜାରରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ, ସହରାଞ୍ଚଳରେ ଏହି ସହାୟତା ରାଶିକୁ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
Comments are closed, but trackbacks and pingbacks are open.