ରାଜ୍ୟ ବିଜେପି ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ

138

ଭୁବନେଶ୍ୱର: ସ୍ଥଗିତ ଥିବା ରାଜ୍ୟ ବିଜେପି ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆସନ୍ତା ୬ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ଦିନ ଶେଷ ହେବ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ତଥା ରାଜ୍ୟ ସହ ନିର୍ବାଚନ ଅଧିକାରୀ ଡ. ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ଡ. ଯତୀନ ମହାନ୍ତି କହିଛନ୍ତି ଯେ, ପୂର୍ବରୁ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ଏବେ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅବସରରେ ଜୁଲାଇ ୬ ତାରିଖ ପୂର୍ବାହ୍ନ ୧୧ଟାରେ ଅନ୍ତରୀଣ ମତଦାତାଙ୍କ ସୂଚୀ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରୁ ୨ଟା ସୁଦ୍ଧା ମତଦାତାଙ୍କ ସୂଚୀ ଉପରେ ବିଭିନ୍ନ ଆପତ୍ତି ଅଭିଯୋଗର ଯାଞ୍ଚ କରାଯିବା ପରେ ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ଚୂଡ଼ାନ୍ତ ମତଦାତାଙ୍କ ତାଲିକା ପ୍ରକାଶ ପାଇବ। ୭ ତାରିଖ ପୂର୍ବାହ୍ନ ୧୧ଟାରୁ ୨ଟା ସୁଦ୍ଧା ଉପରୋକ୍ତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରାଯିବ। ମଧ୍ୟାହ୍ନ ୨ଟାରୁ ୩ଟା ମଧ୍ୟରେ ନାମାଙ୍କନ ସମ୍ପର୍କିତ ଆପତ୍ତି ଅଭିଯୋଗର ଯାଞ୍ଚ କରାଯାଇ ୪ଟା ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ ଏବଂ ଚିହ୍ନ ଆବଣ୍ଟନ କରାଯିବ। ଆବଶ୍ୟକ ହେଲେ ୮ତାରିଖ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ୧୧ଟା ୩୦ ସୁଦ୍ଧା ଫଳାଫଳ ଘୋଷଣା କରାଯିବ।

Comments are closed, but trackbacks and pingbacks are open.