ଆୟୁଷ୍ମାନ ଭାରତ ଲାଗୁ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ

34

ଭୁବନେଶ୍ୱର : ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ବିଜେପିର ୩ ବରିଷ୍ଠ ସାଂସଦଙ୍କ ସହିତ ବିଜେପି ନେତୃବୃନ୍ଦ I କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ସାଂସଦ ପ୍ରତିନିଧି ମଣ୍ଡଳୀ ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଭେଟି ଓଡ଼ିଶାରେ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମଜେଏଓ୍ୱାଇ) ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ନିତୀଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ, ସଙ୍ଗୀତା ସିଙ୍ଗଦେଓ ପ୍ରମୁଖ ଉପସ୍ଥିତ ଥିଲେ I

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏ ସମ୍ପର୍କୀତ ଏକ ପତ୍ର ପ୍ରଦାନ କରିବା ସହ ଆବଶ୍ୟକ ସ୍ୱାସ୍ଥ୍ୟସେବା ଚାହୁଁଥିବା ୪.୫ କୋଟି ଓଡ଼ିଆଙ୍କ ସମେତ ବାହାରେ କାମ କରୁଥିବା ୧ କୋଟି ପ୍ରବାସୀ ଓଡ଼ିଆ ଲୋକଙ୍କ ବୃହତ ହିତ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ସାଂସଦଗଣ ଦାବୀ କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେବା କାରଣରୁ ଅଧିକାଂଶ ପ୍ରବାସୀ ଓଡ଼ିଆ ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ନେବାରୁ ବଞ୍ଚିତ ହେଉଛନ୍ତି।

ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଏକ ଐତିହାସିକ ପଦକ୍ଷେପ । ଏହି ଯୋଜନାରେ ପ୍ରତ୍ୟେକ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍ତମ ଚିକିତ୍ସା ସେବାର ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଦେଶର ପ୍ରାୟ ୨୦.୮୭ କୋଟି ପରିବାର ତଥା ୭୫ କୋଟି ହିତାଧିକାରୀ ଏହି ସୁବିଧାର ଲାଭ ନେଉଛନ୍ତି ।

ଦେଶରେ ପ୍ରାୟ ୨୬,୨୬୭ ତାଲିକାଭୂକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ (ଇଏଚସିପି)ର ନେଟଓ୍ୱାର୍କ ମାଧ୍ୟମରେ ୪୮,୯୩୪ କୋଟି ଟଙ୍କା ମୂଲ୍ୟର ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି, ଯାହା ଏହି ଯୋଜନାର ସଫଳ କାର୍ଯ୍ୟକାରିତାକୁ ଦର୍ଶାଉଛି ।

ଲୋକଙ୍କ କଲ୍ୟାଣ ପାଇଁ ଦେଶର ପ୍ରାୟ ସମସ୍ତ ରାଜ୍ୟ ଗୁଡ଼ିକ ରାଜନୀତିରୁ ଉର୍ଦ୍ଧ୍ୱରେ ରହି କେନ୍ଦ୍ର ସରକାରଙ୍କ ଏହି ସ୍ୱାସ୍ଥ୍ୟ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ବେଳେ ଓଡ଼ିଶା ଭଳି ଅଳ୍ପ କିଛି ରାଜ୍ୟ ସର୍ବଭାରତୀୟ ସ୍ୱାସ୍ଥ୍ୟ ଯୋଜନାର ଲାଭରୁ ନାଗରିକଙ୍କୁ ବଞ୍ଚିତ କରୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେବା କାରଣରୁ ସ୍ୱାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାରେ ସ୍ଥିତି ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି I

୨୦୧୯-୨୦ ଆର୍ଥିକ ବର୍ଷରେ ସାମଗ୍ରିକ ସ୍ୱାସ୍ଥ୍ୟାବସ୍ଥା ପ୍ରଦର୍ଶନ ତୁଳନାରେ ୧୯ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୪ତମ ସ୍ଥାନରେ ଥିଲା, ଯାହା ପଡୋଶୀ ଝାଡଖଣ୍ଡ ଓ ଛତିଶଗଡ ରାଜ୍ୟଠାରୁ କମ୍‌। ୨୦୧୪ ପର ଠାରୁ ନବଜାତ ମୃତ୍ୟୁହାର, ଶିଶୁ, କିଶୋର, ମହିଳାଙ୍କ ମଧ୍ୟରେ ରକ୍ତହୀନତାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ। ଓଡ଼ିଶାରେ ନୂଆ ମେଡିକାଲ ପାଇଁ ଉଯୁପକ୍ତ ସମ୍ବଳ ନଥିବାରୁ ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟାବସ୍ଥା ନାହିଁ ଓ ଗ୍ରାମାଞ୍ଚଳରେ ପ୍ରାୟ ୪୦ ପ୍ରତିଶତ ଡାକ୍ତର ପଦ ଖାଲିପଡ଼ିଛି। ଏହାବ୍ୟତିତ ଓଡ଼ିଶାରେ ମେଡିକାଲ ପାଇଁ ଉଯୁପକ୍ତ ସମ୍ବଳ ନଥିବାରୁ ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟାବସ୍ଥା ନାହିଁ ।

ଦେଶରେ ମୁଣ୍ଡ ପିଛା ଡାକ୍ତର ଏବଂ ହସ୍ପିଟାଲ ମଧ୍ୟ ଓଡ଼ିଶାରେ ବହୁତ କମ୍ ରହିଛି । ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନାରେ ସ୍ୱାସ୍ଥାସେବା ମିଳିବା ଅଳ୍ପ କିଛିରେ ସୀମିତ ଅଛି । ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଥିବା ସତ୍ତ୍ୱେ ମଧ୍ୟ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ହିତାଧିକାରୀମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି ।

ସେହିପରି ସମସ୍ତଙ୍କୁ ସେବା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଭାରତ ସରକାର ନିକଟରେ ଘୋଷଣା କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟବୀମା ଯୋଜନା ସମେତ ଆୟୁଷ୍ମାନ ଭାରତ ଯୋଜନା ମଧ୍ୟ ଲାଗୁ କରିପାରିବେ । ଆୟୁଷ୍ମାନ ଭାରତର ସଂଶୋଧିତ ବ୍ୟବସ୍ଥା ଅନୁସାରେ ହିତାଧିକାରୀମାନେ ଆୟୁଷ୍ମାନ ଭାରତର କାର୍ଡକୁ ଆୟୁଷ୍ମାନ ଭାରତ ଏବଂ ରାଜ୍ୟ ଯୋଜନାରେ ବି ବ୍ୟବହାର କରିପାରିବେ । କାର୍ଯ୍ୟକାରୀ ଯୋଜନା ଅନ୍ତର୍ଗତ ଯଦି ରାଜ୍ୟ ସରକାରମାନେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସୁବିଧା ପ୍ରଦାନ କରିବା ପାଇଁ ଚାହାନ୍ତି ତେବେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଯୋଗ ପ୍ରଦାନ କରିବେ ।

ଏହା ଦ୍ୱାରା ଏସଇସିସି ପରିଧି ବାହାରେ ଥିବା ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ପାଇପାରିବା ସହ ୫ ଲକ୍ଷରୁ ଅଧିକ ଆର୍ଥିକ ସହାୟତା ପାଇଛନ୍ତି । ଏହି ସବୁ ବ୍ୟବସ୍ଥା ସତ୍ତ୍ୱେ ରାଜନୈତିକ ଅଭିସନ୍ଧି କାରଣରୁ ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଇଚ୍ଛାପ୍ରକାଶ କରୁନାହାନ୍ତି, ଯାହା ଓଡ଼ିଆ ଲୋକଙ୍କ ପାଇଁ ବଡ ଚିନ୍ତାର ବିଷୟ ବୋଲି ସାଂସଦମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ।

Comments are closed, but trackbacks and pingbacks are open.