ଜମ୍ମୁରୁ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ

296

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଓଡ଼ିଶା ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିଛନ୍ତି। ଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ଛାତ୍ରୀଛାତ୍ରଙ୍କ ପାଇଁ ଏହି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏହି ନମ୍ବରଗୁଡ଼ିକ ହେଲା-୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧। ଏହି ନମ୍ବରରେ ଯୋଗାଯୋଗ କରିବାକୁ ପରିବାରବର୍ଗଙ୍କୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ଏଥିସହିତ ସ୍ବତନ୍ତ୍ର ଟିମ୍‌ର ବ୍ୟବସ୍ଥା କରାଯାଇଥିବାବେଳେ ୫ଟି ଟିମ୍‌ କରି ଅଧିକାରୀଙ୍କୁ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଛି। ସୂଚନା ଥାଉକି, ଗୁରୁବାର ରାତିର ପାକିସ୍ତାନର ଡ୍ରୋନ ମାଡ଼ ପରେ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୁଧବାର ବିଳମ୍ବିତ ରାତି ଓ ଗୁରୁବାର ଭୋର ସମୟ ମଧ୍ୟରେ ପାକିସ୍ତାନ ପଟୁ ଜମ୍ମୁ-କଶ୍ମୀର, ପଞ୍ଜାବ ଓ ଗୁଜରାଟର ୧୫ଟି ସହରକୁ ଟାର୍ଗେଟ କରି ମିଶାଇଲ ଛାଡ଼ିଥିଲା। ତେବେ ଭାରତୀୟ ବାୟୁସେନା ଏହାକୁ ନିଷ୍ପ୍ରଭ କରିଦେଇଥିଲା। ରୁଷିଆ ନିର୍ମିତ ଏସ୍‌-୪୦୦ ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ୍‌ ‘ସୁଦର୍ଶନ ଚକ୍ର’ ବ୍ୟବହାର କରି ଭାରତ ପାକିସ୍ତାନୀ କ୍ଷେପଣାସ୍ତ୍ରଗୁଡ଼ିକୁ ଖସାଇ ଦେଇଛି। ଭାରତ ପକ୍ଷରୁ ଇସ୍ରାଏଲ ନିର୍ମିତ ହାର୍ପି ଡ୍ରୋନ୍‌ ଜରିଆରେ ପାକିସ୍ତାନର ଏକାଧିକ ସ୍ଥାନକୁ ଟାର୍ଗେଟ୍‌ କରାଯାଇଛି। 

Comments are closed, but trackbacks and pingbacks are open.