ଆରପାରିରେ ଓଡ଼ିଆ ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁ

112

ଭୁବନେଶ୍ୱର: ବିଶିଷ୍ଟ ବ୍ୟବସାୟୀ ଓ ଓଡ଼ିଶାର ଜଣାଶୁଣା ସିନେ ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁ ଆଉ ନାହାନ୍ତି। ସେ ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲ‌ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ। ତାଙ୍କର ଧର୍ମପତ୍ନୀ, ୫ ପୁଅ ଓ ଜଣେ ଝିଅ ଅଛନ୍ତି। ରବୀନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଛବି ଥିଲା ‘ଏଇ ତ ଦୁନିଆଁ’। ଏହା ସୁପରହିଟ୍ ହେବା ପରେ ରବୀନ୍ଦ୍ର ମୋହନ ସାହୁ କ୍ରମାଗତ ଭାବେ ଓଡ଼ିଆ ସିନେମା ନିର୍ମାଣରେ ମନୋ‌ନିବେଶ କରିଥିଲେ। ସେ ଜଣେ ଅଭିନେତା, କାହାଣୀକାର ଓ ଗୀତିକାର ମଧ୍ୟ। ଏହାପରେ ସେ ଅଶୀ ଦଶକରେ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇ ଥରେ କେନ୍ଦ୍ରାପଡ଼ା ପୌରପାଳିକାର କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ। ଏହାଛଡ଼ା କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ସେ ମଧ୍ୟ କେନ୍ଦ୍ରାପଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସଭାପତି ଥିଲେ।ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି। କେନ୍ଦ୍ରାପଡ଼ାରେ ବି ଶୋକମୟ ପରିବେଶ ପରିଲକ୍ଷିତ ହୋଇଛି।

Comments are closed, but trackbacks and pingbacks are open.