ବ୍ୟାଙ୍କ ଅଧିକାରୀଙ୍କ ଆତ୍ମହତ୍ୟା ପଛର କାରଣ ଥିଲା ନ୍ୟୁଡ୍‌ କଲ,୨ ଗିରଫ

27

ସୋନପୁର : ବ୍ଲାକମେଲରଙ୍କ ବୁଢ଼ିଆଣି ଜାଲରେ ଫସି ଯାଇଥିଲେ ବ୍ୟାଙ୍କ ଅଧିକାରୀ I ନ୍ୟୁଡ କଲ୍‌ କରି ବ୍ଳକମେଲର ହଡପ କରି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା I ନହେଲେ ଭିଡିଓ ଭାଇରାଲ କରିବାର ଦେଉଥିଲେ ଧମକ I ବ୍ଲାକମେଲରଙ୍କ ଜାଲରୁ ମୁକୁଳିବା ପାଇଁ ବ୍ୟାଙ୍କ ଅଧିକାରୀ ଗଣିଥିଲେ ୨୬ ଲକ୍ଷ ଟଙ୍କା । ଏହାପରେ ବି ବାରମ୍ବାର ଭିଡିଓ ଭାଇରାଲ ଧମକ ମିଳିବାରୁ ଶେଷରେ ମାନସିକ ଭାରସାମ୍ୟ ହରାଇ ଅଙ୍ଗ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର। ୪ ମାସର ତଦନ୍ତ ପରେ ଏହି ଚାଞ୍ଚଲ୍ୟକର ଘଟଣାର ଖୁଲାସା କରିଛି ସୋନପୁର ପୋଲିସ ।

ଘଟନାନୁସାରେ ବରଗଡ ଜିଲ୍ଲା ବରପାଲିରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଧିକାରୀ ଦିବ୍ୟ ରଞ୍ଜନ ମିଶ୍ର ଗତ ଅଗଷ୍ଟ ୮ ତାରିଖରେ ଡୁଙ୍ଗୁରିପାଲି ନିକଟ ଚେରୁପାଲି ଅଙ୍ଗ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ତେବେ ଘଟଣା ଚାରିଆଡ଼େ ଚର୍ଚ୍ଚାର କାରଣ ପାଲଟିଥିବା ବେଳେ ଏବେ ତାହା ଉପରୁ ପରଦା ହଟାଇଛି ପୁଲିସ୍‌।ଘଟଣା ନେଇ ପରିବାର ପକ୍ଷରୁ ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସବିଶେଷ ସୂଚନା ଦେଇଛନ୍ତି ସୋନପୁର ଏସ୍‌ପି ଅମରେଶ ପଣ୍ଡା । ଏସ୍‌ପିଙ୍କ ସୂଚନା ଅନୁସାରେ, ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟ ରଂଜନଙ୍କୁ ନ୍ୟୁଡ କଲ କରି ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ଏହି ଗ୍ୟାଙ୍ଗରେ ପ୍ରାୟ ୫ ଜଣ ଥିଲେ। ଗ୍ୟାଙ୍ଗର କିଛି ସଦସ୍ୟ ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ଦିବ୍ୟରଞ୍ଜନଙ୍କ କଳା କାରନାମାର ପର୍ଦ୍ଦାଫାଶ କରିଦେବେ ବୋଲି ଧମକ ଦେଇଥିଲେ। ଏଥିନିମନ୍ତେ ସେମାନେ ମୋଟା ଅଙ୍କର ଟଙ୍କା ମାଗି ଚାଲିଥିଲେ।

ଏହାକୁ ଆଧାର କରି ସୋନପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ସମୟରେ ଦିବ୍ୟରଞ୍ଜନ ବିଭିନ୍ନ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଇଥିବା ପୋଲିସ ଜାଣିବାକୁ ପାଇଥିଲା । ସେହି ଆକାଉଣ୍ଟ ଗୁଡିକୁ ଯାଞ୍ଚ ବେଳେ ଉକ୍ତ ଗ୍ୟାଙ୍ଗ କୁ ୪୦ଟି ପର୍ଯ୍ୟାୟରେ ୨୬ ଲକ୍ଷ ଟଙ୍କା ଦିବ୍ୟରଞ୍ଜନ ପଠାଇଥିବା ଜଣI ପଡିଥିଲା। ଏଥିରେ ଦିବ୍ୟରଞ୍ଜନ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି ।

ଏହି ଘଟଣାରେ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ରାଜସ୍ଥାନରେ ପହଞ୍ଚି ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଘଟଣାର ମାଷ୍ଟର ମାଇଣ୍ଡ ମେହବୁବ ଓ ତାଙ୍କ ଶଳା ଆଦିଲ । ବ୍ଲାକମେଲ୍‌ ଟଙ୍କାରେ ସେମାନେ ଏକ କାର୍‌ କିଣିଥିଲେ। ପୁଲିସ୍‌ ଉକ୍ତ କାର୍‌ ଓ ଏକ ମୋବାଇଲକୁ ଜବତ କରିଛି। ଏଥିସହ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ୍‌। ବ୍ଲାକେମେଲ୍‌ ଗ୍ୟାଙ୍ଗର ସମସ୍ତେ ସମ୍ପର୍କୀୟ ବୋଲି ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ସୋନପୁର ଏସ୍‌ପି ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.