ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏନ୍‌ପିପି ନେତା କନ୍‌ରାଡ୍ ସାଙ୍ଗ୍‌ମା

19

ଏନ୍‌ପିପି ନେତା କନ୍‌ରାଡ୍ ସାଙ୍ଗ୍‌ମା ଆସନ୍ତା ୭ ତାରିଖରେ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶୁକ୍ରବାର ସେ ମେଘାଳୟ ରାଜ୍ୟପାଳ ଫଗୁ ଚୌହାନ୍‌ଙ୍କୁ ସାକ୍ଷାତ୍‌କରି ଏହି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିଛନ୍ତି । ଏହି ଅବସରରେ ତାଙ୍କୁ ସମର୍ଥନ କରୁଥିବା ୩୨ ବିଧାୟକଙ୍କ ତାଲିକା ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ ।

ସାଙ୍ଗ୍‌ମାଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ହେବେ ବୋଲି ରାଜ୍ୟ ବିଜେପି ପ୍ରମଖ ଅର୍ନେଷ୍ଟ୍ ମାଭରି ସୂଚନା ଦେଇଛନ୍ତି । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଏନ୍‌ପିପି ରାଜ୍ୟରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି । ମୋଟ ୫୯ ଆସନରୁ ପାର୍ଟି ୨୬ ଆସନରେ ବିଜୟୀ ହୋଇଛି । ବିଜେପି, ଏଚ୍‌ଏସ୍‌ପିଡିପି ଏବଂ ପିଡିଏଫ୍‌କୁ ଦୁଇଟି ଲେଖାଏଁ ଆସନ ମିଳିଥିବା ବେଳେ ୟୁଡିପି ୧୧ ଆସନ ଜିତି ଦ୍ୱିତୀୟ ସ୍ଥାନରେ ରହିଛି ।

ସଂଖ୍ୟାଗରିଷ୍ଠ ପାର୍ଟି ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନଥିବାରୁ କନ୍‌ରାଡ୍ ସାଙ୍ଗ୍‌ମା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍ କରି ବିଜେପିର ସମର୍ଥନ ଲୋଡ଼ିଥିଲେ । ବିଜେପି ମଧ୍ୟ ତାଙ୍କୁ ସମର୍ଥନ ଦେବା ପାଇଁ ଘୋଷଣା କରିଥିଲା । ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ସାଙ୍ଗ୍‌ମା ବିଜେପି ସହିତ ମେଣ୍ଟ ଭାଙ୍ଗି ଦେଇଥିଲେ ।

Comments are closed, but trackbacks and pingbacks are open.