ନଭେମ୍ବର ୮ ରୁ ୧୬ କଟକ ବାଲିଯାତ୍ରା

22

ଭୁବନେଶ୍ବର: କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ନଗର ଉନ୍ନୟନ, ପୂର୍ତ୍ତ, ଶକ୍ତି ଓ ସଂସ୍କୃତି ବିଭାଗ ମାଧ୍ୟମରେ ଯାତ୍ରାର ପ୍ରସ୍ତୁତି ପାଇଁ କରାଯାଇଥିବା ପ୍ରାୟ ୧୫.୩୫ କୋଟି ଟଙ୍କା ଖର୍ଚ୍ଚ ଆକଳନର ପ୍ରସ୍ତାବିତ ବିନିଯୋଗ ବିଷୟରେ ଆଲୋଚନା ହୋଇଛି । ଲୋକସେବାରେ ଅନୁଷ୍ଠିତ ହୋଇଛି ବାଲିଯାତ୍ରା ସମୀକ୍ଷା ବୈଠକ । ବୈଠକରେ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ଉତ୍ସବର ପରିଚାଳନା ଓ ଆର୍ଥିକ ବ୍ୟବସ୍ଥା ସମ୍ବନ୍ଧିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଛନ୍ତି । ଚଳିତ ବର୍ଷ ବାଲିଯାତ୍ରା ନଭେମ୍ବର ୮ ରୁ ୧୬ ତାରିଖ ପର୍ୟ୍ୟନ୍ତ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରା ପଡିଆକୁ ରାସ୍ତା ସଂଯୋଗ, ଟ୍ରାଫିକ ନିୟନ୍ତ୍ରଣ, ପର୍ୟ୍ୟାପ୍ତ ପାର୍କିଂ ସ୍ଥାନ, ଷ୍ଟଲ ପାଇଁ ସ୍ଥାନ ନିର୍ଦ୍ଧାରଣ, ବିଦ୍ୟୁତ ସଂଯୋଗ, ପରିମଳ, ସ୍ବାସ୍ଥ୍ୟସେବା ଓ ଆଇନ ଶୃଙ୍ଖଳା ଉପରେ ଗୁରୁତ୍ବ ଦିଆଯାଇଛି । ଏସବୁର ଉତ୍ତମ ପରିଚାଳନା ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବା ପାଇଁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 
ଯାତ୍ରା ପଡିଆରେ ଅଧିକ ସଂଖ୍ୟକ ପାନୀୟ ଜଳ ଟ୍ୟାଙ୍କର, ଅସ୍ଥାୟୀ ବାଇଓ ଟଏଲେଟ୍‌ ଆଦି ଲଗାଇବାକୁ କଟକ ପୌର ପରିଷଦ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରା ପଡି଼ଆରେ କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ କରିବାକୁ ସିଏସ ବିତରକ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରା ସମୟରେ ନଦୀରେ ଜଳ କ୍ରୀଡା ଏବଂ ଡେଜର୍ଟ ବାଇକ ରାଇଡିଂ ଆଦିର ବ୍ୟବସ୍ଥା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

Comments are closed, but trackbacks and pingbacks are open.