୭ ଦିନ ମଧ୍ୟରେ କୌଣସି ବାତ୍ୟାର ସମ୍ଭାବନା ନାହିଁ

37

ଭୁବନେଶ୍ୱର: ବାତ୍ୟାକୁ ନେଇ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ଭାରତୀୟ ପାଣିପାଗ ସଂସ୍ଥାର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ବାତ୍ୟାର ୭ ଦିନ ପୂର୍ବରୁ ହେଉଥିବା ପୂର୍ବାନୁମାନ ସବୁଠୁ ଅଧିକ ବିଶ୍ୱାସଯୋଗ୍ୟ । ଆସନ୍ତା ୭ ଦିନ ମଧ୍ୟରେ ବଙ୍ଗୋପସାଗରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ । ତେଣୁ ଓଡ଼ିଶା ପାଇଁ ବାତ୍ୟାର କୌଣସି ଭୟ ନାହିଁ । ଗୋଟିଏ ମଡେଲକୁ ଆଧାର କରି ବାତ୍ୟାର ପୂର୍ବାନୁମାନ କରିବା ସମ୍ଭବପର ନୁହେଁ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ମଡେଲକୁ ପର୍ଯ୍ୟବେକ୍ଷଣ କରି ତାହାକୁ ଅନୁଶୀଳିନ କରାଯାଏ । ଏଥିସହ ବୈଜ୍ଞାନିକ ଜ୍ଞାନକୌଶଳ, ମାନବ ସମ୍ବଳକୁ ବ୍ୟବହାର କରି କୌଣସି ସୂଚନା ଦିଆଯାଇଥାଏ । ତେଣୁ ଏହି ସଂସ୍ଥା ଅଧିକ ଭରସାଯୋଗ୍ୟ । ଭାରତୀୟ ପାଣିପାଗ ବିଭାଗର ଆକଳନର ସଠିକତା ଆମେରିକା, ଅଷ୍ଟ୍ରେଲିଆ, ଜାପାନ ପରି ବିକଶିତ ଦେଶର ପୂର୍ବାନୁମାନ ତୁଳନାରେ ବେଶ୍ ଭଲ, ସଠିକ ଓ ଭରସାଯୋଗ୍ୟ । ତେଣୁ କୌଣସି ବ୍ୟକ୍ତିବିଶେଷ, ଅନୁଷ୍ଠାନ କିମ୍ବା ମଡେଲର ପୂର୍ବାନୁମାନକୁ ଭରସା କରନ୍ତୁ ନାହିଁ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ବିଶ୍ୱାସ କରନ୍ତୁ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି । ଏଥିସହ ସେ କହିଛନ୍ତି, ଉତ୍ତର ଆଣ୍ଡାମାନ ସାଗରରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତାହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଯାଇ ଧୀରେ ଧୀରେ ଦୁର୍ବଳ ହୋଇଯିବ । ଏହାପରେ ଆଉ ଏକ ଘୂର୍ଣ୍ଣିବଳୟ ଆସନ୍ତା ୧୭ କିମ୍ବା ୧୮ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ନିକଟସ୍ଥ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ତାହା ମଧ୍ୟ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଅର୍ଥାତ ତାମିଲନାଡ଼ୁ, ଆନ୍ଧପ୍ରଦେଶର ଦକ୍ଷିଣ ଭାଗକୁ ଗତି କରିବାର ସମ୍ଭାବନା ରହିଛି । ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଲାଗୁ ନ ଥିବା ବେଳେ ଓଡ଼ିଶା ଉପରେ ମଦ୍ୟ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେବ ନାହିଁ ବୋଲି ସେ କହିଛନ୍ତି ।
ସେହିପରି ୭ ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟା ସମ୍ଭାବନା । ଜିଏଫଏସ ମଡ଼େଲକୁ ବିଶ୍ୱାସ କରାନଯାଇପାରେ । ତେଣୁ ଭୟଭୀତ ନହୋଇ ଗୁଜବ ଠାରୁ ଦୂରେଇ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ବର୍ତ୍ତମାନ କୌଣସି ବାତ୍ୟା ଆଶଙ୍କା ନଥିବା ଟ୍ୱିଟ କରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତେବେ ଏ ସମ୍ପର୍କରେ ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ, “ଗତ କିଛିଦିନ ହେବ ବାତ୍ୟାକୁ ନେଇ ଯେଉଁ ଖବର ପ୍ରସାର ହେଉଥିଲା ତାହା ସମ୍ପୁର୍ଣ୍ଣ ମିଛ । ଏହା ଅବାସ୍ତବ, ଅସମ୍ଭବ । କୌଣସି ପାଣିପାଗ ଘଟଣା ସମ୍ପର୍କରେ ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ତେଣୁ କୌଣସି ଗୁଜବ ଠାରୁ ଦୂରେଇ ରୁହନ୍ତୁ ।
ଏତଦବ୍ୟତୀତ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ବିଜୁଳି ଘଡଘଡି ସହ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ ଭାବେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ବର୍ଷ ଲାଗିରହିବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ପାଇଁ ବିଜୁଳି ଘଡଘଡି ସହ ୧୮ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ କରାଯାଇଛି । ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନୟାଗଡ଼, କଟକ, ଅନୁଗୋଳ, ଢେଙ୍କାନାଳ, କେଉଁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କୋରାପୁଟ, ରାୟଗଡ଼ାରେ ଘଡଘଡି ସହ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି (ଗୁରୁବାର) ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଭୁବନେଶ୍ୱର ଏବଂ କଟକ ସହରରେ ମଧ୍ୟ ଆଂଶିକ ମେଘୁଆ ପାଗ ରହିବ । ସଠିକ ସୂଚନା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପାଣିପାଗ ବିଭାଗ ୨୪ ଘଣ୍ଟା କାର୍ଯ୍ୟ କରୁଛି । ବାତ୍ୟାକୁ ନେଇ ଯେକୌଣସି ସଂସ୍ଥା ପକ୍ଷରୁ ଆପଣଙ୍କୁ ସୂଚନା ମିଳିଲେ ପାଣିପାଗ ବିଭାଗର ଫୋନ ନମ୍ବର, ଫେସବୁକ ପେଜ, ଟ୍ୱିଟର ପେଜରୁ ଖବରପାଇପାରିବେ । କିନ୍ତୁ ବର୍ତ୍ତମାନ ବାତ୍ୟାର କୌଣସି ସମ୍ଭାବନା ନାହିଁ । ଗୁଜବ ଠାରୁ ଦୂରେଇ ରହିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହୋଇଛି । ସର୍ବାଧିକ ବର୍ଷା ନବରଙ୍ଗପୁର ଜିଲ୍ଳାର ଝରିଗାଁରେ ୮୭ .୮ ମିମି ବର୍ଷା ରେକର୍ଡ କରାଯାଇଛି । ଅକ୍ଟୋବର ୧ରୁ ୧୨ ତାରିଖ ମଧ୍ୟରେ ୯୪ .୨ ପ୍ରତିଶତ ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷା ଠାରୁ ଅଧିକ ରହିଛି ।

Comments are closed, but trackbacks and pingbacks are open.