ଯୁଦ୍ଧରେ କେହି ନାୟକ ନୁହଁନ୍ତି ସମସ୍ତେ ପୀଡିତ: ସାଉଦି ରାଜକୁମାର

33

ନୂଆଦିଲ୍ଲୀ: ଗାଜାରେ ଚାଲୁଥିବା ଯୁଦ୍ଧ ଏବେ ଭୟାବହ ରୂପ ନେବାକୁ ଯାଉଛି । ଇସ୍ରାଏଲ ସେନା ପକ୍ଷରୁ ଘୋଷଣା କରାଯାଇଛି କି ସେମାନେ ଗାଜାରେ ଆକ୍ରମଣକୁ ଆହୁରି ଜୋରଦାର କରିବେ । ହମାସକୁ ସଂପୂର୍ଣ୍ଣ ଭାବରେ ଧ୍ୱଂସ କରିବାକୁ ଇସ୍ରାଏଲ ଗାଜାରେ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ କୋଠା ଧ୍ୱଂସ କରିସାରିଲାଣି । ଏହାରି ମଧ୍ୟରେ ସାଉଦି ଆରବର ଜଣେ ରାଜକୁମାର ତୁର୍କି ବିନ୍ ଅଲ ଫୈସଲ ଅଲ୍ ସାଉଦଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି । ସେ ଯୁଦ୍ଧ ଲାଗି ହମାସ ଓ ଇସ୍ରାଏଲ ଉଭୟଙ୍କୁ ସମାଲୋଚନା କରିଛନ୍ତି ।

୨୪ ବର୍ଷ ପର୍ଯ୍ୟନ୍ତ ସାଉଦି ଆରବର ଗୁପ୍ତଚର ବିଭାଗର ଦାୟିତ୍ୱ ସମ୍ଭାଳି ଥିବା ଫୈସଲ କହିଛନ୍ତି ଏହି ଯୁଦ୍ଧରେ କେହି ନାୟକ ନୁହଁନ୍ତି, ସମସ୍ତେ ପୀଡିତ । ଏହାକୁ ରୋକିବାର ଏକମାତ୍ର ଉପାୟ ହେଉଛି ନାଗରିକ ବିଦ୍ରୋହ । ଏହି କ୍ରମରେ ସେ ଭାରତର ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଭାରତରେ ନାଗରିକ ବିଦ୍ରୋହ ହିଁ ବ୍ରିଟିଶ ଓ ପୂର୍ବ ୟୁରୋପରେ ସୋଭିଏତ୍ ସାମ୍ରାଜ୍ୟକୁ ଧ୍ୱସ୍ତ କରିଦେଇଥିଲା ।

୭୮ ବର୍ଷୀୟ ଫୈସଲ କହିଛନ୍ତି , ସମସ୍ତ ଲୋକଙ୍କର ନିଜ ବାସସ୍ଥାନ ଉପରେ କବଜାକୁ ନେଇ ବିରୋଧ କରିବାର ଅଧିକାର ରହିଛି । ସେ କହିଛନ୍ତି ମୁଁ ପାଲେଷ୍ଟାଇନରେ ସୈନ୍ୟ ବିକଳ୍ପକୁ ସମର୍ଥନ କରୁନାହିଁ । ମୁଁ ଅନ୍ୟ ବିକଳ୍ପ ଯେପରିକି ନାଗରିକ ବିଦ୍ରୋହକୁ ପସନ୍ଦ କରୁଛି ।
ସେ କହିଛନ୍ତି ଇସ୍ରାଏଲ ପାଖରେ ଜବରଦସ୍ତ ସୈନ୍ୟବଳ ରହିଛି ଓ ବିଶ୍ୱ ଗାଜାରେ ଇସ୍ରାଏଲ ପକ୍ଷରୁ ହେଉଥିବା ଧ୍ୱଂସଲୀଳାକୁ ଦେଖୁଛି । ଏହି ମହାଯୁଦ୍ଧ ଲାଗି ସେ ହମାସକୁ ମଧ୍ୟ ଦାୟୀ କରିଛନ୍ତି । ସେ କହିଛନ୍ତିହମାସର ଏହିପରି ଲକ୍ଷ୍ୟ ତାର ଇସଲାମ ପରିଚୟକୁ ନଷ୍ଟ କରୁଛି । ସେ କହିଛନ୍ତି ନୀରିହ ଶିଶୁ, ମହିଳା ଓ ବୟସ୍କଙ୍କୁ ହତ୍ୟା କରିବା ଓ ପୂଜା ସ୍ଥଳକୁ ଅପବିତ୍ର କରିବା ଇସଲାମ ବିରୋଧୀ ଅଟେ ।ଏହା ସହିତ ଫୈସଲ ବିଶ୍ୱର ପଶ୍ଚିମ ରାଜନେତାଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେତେବେଳେ ପାଲେଷ୍ଟାନୀୟଙ୍କ ଦ୍ୱାରା ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରାଯାଉଛି ସେତେବେଳେ ସେମାନେ ଦୁଃଖ ପ୍ରକାଶ କରୁଛନ୍ତି କିନ୍ତୁ ଯେତେବେଳେ ମାମଲା ବିପରୀତ ହେୁଛି ସେତେବେଳେ ସାମାନ୍ୟ ଦୁଃଖ ବ୍ୟକ୍ତ କରିବାର ବି ଦେଖାଯାଉନାହିଁ ।

Comments are closed, but trackbacks and pingbacks are open.