ଭୁବନେଶ୍ୱର: ୨୦୨୬-୨୭ ଆର୍ଥିକ ବର୍ଷର ସପ୍ଲିମେଣ୍ଟାରୀ ବଜେଟ୍ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ଅର୍ଥ ବିଭାଗ। ଆସନ୍ତା ଅକ୍ଟୋବର ୩୧ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟରେ ଅନଲାଇନରେ ପ୍ରସ୍ତାବ ପଠାଇବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛି। ତେବେ ଯେଉଁ ବିଭାଗଗୁଡ଼ିକ ଚଳିତ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ମୂଳ ବଜେଟ ଆବଣ୍ଟନର ସର୍ବନିମ୍ନ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିନଥିବେ ସେମାନଙ୍କୁ ଏହି ସପ୍ଲିମଣ୍ଟୋରୀ ବା ଅତିରିକ୍ତ ବଜେଟରେ ପୁଣିଥରେ ପାଣ୍ଠି ଆବଣ୍ଟନ କରାଯିବ ନାହିଁ ବୋଲି ଅର୍ଥ ବିଭାଗ ଜଣାଇ ଦେଇଛି। ବଜେଟ୍ ନାଁରେ ମନଇଚ୍ଛା ପାଣ୍ଠି ନେଇ ବର୍ଷ ଶେଷରେ ଏହାକୁ ସରେଣ୍ଡର କରିବାର ପୁରୁଣା ନୀତି ଆଉ ଚଳିବ ନାହିଁ ବୋଲି ଅର୍ଥ ବିଭାଗ ସ୍ପଷ୍ଟ କରିଦେଇଛି। ବିଧାନସଭାର ଶୀତ ଅଧିବେଶନରେ ଏହି ସପ୍ଲିମେଣ୍ଟାରୀ ବଜେଟ୍ ଆଗତ କରାଯିବ ବୋଲି ଅର୍ଥ ବିଭାଗ କହିଛି।ସପ୍ଲିମେଣ୍ଟାରୀ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ସଚିବ ସଞ୍ଜିବ କୁମାର ମିଶ୍ର ବିସ୍ତୃତ ମାର୍ଗଦର୍ଶିକା ଜାରି କରି କହିଛନ୍ତି ଯେ, ଚଳିତ ଆର୍ଥକ ବର୍ଷର ପ୍ରଥମ ତ୍ରୈମାସିକରେ ଜାତୀୟ ଜିଡିପି ଅଭିବୃଦ୍ଧି ହାର ୭.୮ % ରହିଥିଲେ ହେଁ ବିଶ୍ୱସ୍ତରୀୟ ଭୂରାଜନୈତିକ ଉତ୍ତେଜନା, ଇନ୍ଧନ ମୂଲ୍ୟରେ ଅସ୍ଥିରତା ଓ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା ଭଳି ଆହ୍ୱାନକୁ ଦୃଷ୍ଟିରେ ରଖି ରାଜ୍ୟର ରାଜକୋଷୀୟ ନିଅଣ୍ଟକୁ ସାଢ଼େ ତିନି ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ତେଣୁ ରାଜ୍ୟର ଆର୍ଥକ ସ୍ଥିରତା ବଜାୟ ରଖିବା ସହ ଚାଲୁ ରହିଥିବା ପ୍ରକଳ୍ପ ଓ ଜୀବିକା ଯୋଜନାଗୁଡ଼ିକୁ ପୂର୍ଣ୍ଣ ଆର୍ଥକ ସହାୟତା ଯୋଗାଇବା ସହ ଅନ୍ୟାନ୍ୟ ଅଯଥା ଖର୍ଚ୍ଚ ଉପରେ କଠୋର କଟକଣା ଜାରି କରାଯାଇଛି।
Comments are closed, but trackbacks and pingbacks are open.