ଆଜି ନବୀନଙ୍କୁ ଭେଟିବେ ନୀତୀଶ

33

ଆଜି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନବୀନ ପଟ୍ଟନାୟକଙ୍କୁ ଭେଟି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ମିଳିତ ବିରୋଧୀ ସାମ୍ମୁଖ୍ୟ ଗଠନ ନେଇ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ସହିତ ନବୀନ ଓ ନୀତିଶ ଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ବୈଠକ ହେବ ବୋଲି ସୂଚନା ରହିଛି। ତେବେ ଏକ ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କ୍ୟାବିନେଟ୍ ସହଯୋଗୀ ଥିବା ଏହି ଦୁଇ ନେତା ମଧ୍ୟାହ୍ନ ଭୋଜନରେ ବିଭିନ୍ନ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି। ନବୀନଙ୍କୁ ଭେଟିବା ପରେ ମେ ୧୧ରେ ମୁମ୍ବାଇ ଯାଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାଓ୍ୱାରଙ୍କୁ ଭେଟିବେ ନୀତୀଶ। ନବୀନ ପଟ୍ଟନାୟକଙ୍କୁ ଭେଟିବା ସମୟରେ ଜେଡିୟୁ ନେତାଙ୍କ ସହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ବିହାରର ଜଳସମ୍ପଦ ମନ୍ତ୍ରୀ ସଞ୍ଜୟ କୁମାର ଝା ମଧ୍ୟ ଉପସ୍ଥିତ ରହିପାରନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଳି ବିରୋଧୀ ଦଳ ନେତାଙ୍କ ସହ ନୀତୀଶ ପୂର୍ବରୁ ଆଲୋଚନା କରିସାରିଛନ୍ତି, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ମିଳିତ ବିରୋଧୀ ସାମ୍ମୁଖ୍ୟ ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ରାଜନୈତିକ ବିଶାରଦମାନେ ଦର୍ଶାଇଛନ୍ତି ଯେ, ବିଗତ ଦିନରେ ବିଜେପି ଓ ବିଜେଡି ମଧ୍ୟରେ ବଢ଼ୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ନବୀନ ହୁଏତ ନିଜର ରାଜନୈତିକ ପସନ୍ଦକୁ ସୀମିତ ରଖି ନପାରନ୍ତି। ଯଦିଓ ନବୀନ ସବୁ ବିବାଦୀୟ ପ୍ରସଙ୍ଗରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମର୍ଥନ କରିଛନ୍ତି, ତଥାପି ଓଡ଼ିଶାରେ ବିଜେପି ମୁଖ୍ୟ ବିରୋଧୀ ଦଳ ଏବଂ ୨୦୨୪ ପାଇଁ ନବୀନଙ୍କ ପ୍ରମୁଖ ଚ୍ୟାଲେଞ୍ଜର ଭୂମିକା ଗ୍ରହଣ କରିଛି।

ଗତ ମାର୍ଚ୍ଚ ମାସରେ ମମତା ଭୁବନେଶ୍ୱରରେ ନବୀନଙ୍କୁ ଭେଟିବା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ୨୦୨୪ ନିର୍ବାଚନ ପୂର୍ବରୁ ଦୁଇ ନେତା ସମ୍ଭାବ୍ୟ ରାଜନୈତିକ ଦୃଶ୍ୟପଟ୍ଟ ଉପରେ ଆଲୋଚନା କରିଛନ୍ତି। କିନ୍ତୁ ଉଭୟ ନବୀନ ଓ ମମତା ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ଆଗାମୀ ଲୋକସଭା ନିର୍ବାଚନରେ ଏନଡିଏକୁ ଚାଲେଞ୍ଜ୍ ଦେଇପାରୁଥିବା ଏକ ଶକ୍ତିଶାଳୀ ବିରୋଧୀ ମେଣ୍ଟ ଗଢ଼ିବା ଯୋଜନାର ଅଂଶବିଶେଷ ସ୍ୱରୂପ ନୀତୀଶ ନବୀନଙ୍କୁ ଭେଟୁଥିବା ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ସବୁବେଳେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ଫର୍ମୁଲାରେ ରହିଥିବା ବିଜେଡି ବିଜେପି ବିରୋଧୀ ଗୋଷ୍ଠୀରେ ସାମିଲ ହେବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ କେନ୍ଦ୍ରରେ ଯିଏ ବି କ୍ଷମତାକୁ ଆସୁଛି, ତା’ ସହିତ ସୁସମ୍ପର୍କ ରଖିବାରେ ନବୀନ ଜଣେ ପୁଖୋତ ରାଜନୈତିଜ୍ଞ ହୋଇଥିବା ବେଳେ ବର୍ତ୍ତମାନ ନିର୍ବାଚନ ପୂର୍ବରୁ ସେ ବିରୋଧୀଙ୍କ ସହ ସାମିଲ ହେଉଛନ୍ତି ନା ନାହିଁ ତାହାରି ଉପରେ ସମଗ୍ର ଦେଶର ନଜର ରହିଛି।

Comments are closed, but trackbacks and pingbacks are open.