ପୁଣି ବିଜେପି ସହ ଆସିବେ ନୀତୀଶ!

71

ନୂଆଦିଲ୍ଲୀ: ସମ୍ପ୍ରତି ବିହାର ରାଜନୀତିରେ ଅଦୃଶ୍ୟ ଝଡ ସୃଷ୍ଟି ହୋଇଥିବା ଭଳି ପ୍ରତୀତ ହେଉଛି । ରାଜ୍ୟରେ ଏବେ ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟ ସରକାର ରହିଥିବା ବେଳେ ମେଣ୍ଟରେ କିଛି ଗୋଟେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଏବେ ଚର୍ଚ୍ଚା ହେଉଛି । ଏପରିକି ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ବିଜେପି ସହ ହାତ ମିଳାଇପାରନ୍ତି ବୋଲି ମଧ୍ୟ କେତେକାଂଶରେ ମତପ୍ରକାଶ ପାଇବା ଆରମ୍ଭ ହୋଇଯାଇଛି ।

ରିପୋର୍ଟ ଅନୁସାରେ ଆଗାମୀ ଦିନରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟଯାତ୍ରା ବିହାରରେ ଆୟୋଜିତ ହେବାକୁ ଯାଉଛି । ପୂର୍ବରୁ ଏହି ନ୍ୟାୟଯାତ୍ରାରେ ନୀତୀଶ ମଧ୍ୟ ସାମିଲ ହେବେ ବୋଲି କୁହାଯାଉଥିଲା । କିନ୍ତୁ ଏବେ ସେ କଂଗ୍ରେସର ଏହି ଯାତ୍ରାରେ ସାମିଲ ହେବେନାହିଁ ବୋଲି ଜଣାପଡିଛି । ଇଣ୍ଡିଆ ମେଣ୍ଟରେ ଜେଡିୟୁ ସାମିଲ ଥିଲେ ମଧ୍ୟ ନୀତୀଶ କୁମାର କଂଗ୍ରେସର ଆଭିମୁଖ୍ୟକୁ ନେଇ ଖୁସିନାହାନ୍ତି । ହୁଏତ ଏହି କାରଣରୁ ସେ ଏବେ କଂଗ୍ରେସ ଠାରୁ ଦୂରେଇ ରହୁଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷେ ଲାଲୁପ୍ରସାଦ ଯାଦବଙ୍କ ନେତୃତ୍ୱାଧୀନ ଆରଜେଡି ମୁଖ୍ୟ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ନିଜ ନିଜ ନେତାମାନଙ୍କୁ ଡକାଇ ଘନଘନ ଆଲୋଚନା ଜାରି ରଖିଛନ୍ତି । କୁହାଯାଉଛି ଆରଜେଡି ଏବଂ ଜେଡିୟୁ ମଧ୍ୟରେ ତିକ୍ତତା ସୃଷ୍ଟି ହେବା ହିଁ ଏପ୍ରକାର ରାଜନୈତିକ ପରିବେଶ ପାଇଁ ମୁଖ୍ୟ କାରଣ । ନିକଟରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ଘଟଣାରେ ନୀତୀଶ ବିଜେପିର ପ୍ରଶଂସା କରିବା ଏବଂ ପରୋକ୍ଷରେ ଲାଲୁଙ୍କୁ ଟାର୍ଗେଟ୍ କରିବାକୁ ଯାଇ ପରିବାରବାଦ ରାଜନୀତି ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ଆରଜେଡି ଅସନ୍ତୋଷ ବ୍ୟକ୍ତ କରିଥିଲା । ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଖୁଲମଖୁଲ୍ଲା ନୀତୀଶଙ୍କୁ ସମାଲୋଚନା କରିଥିଲେ । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ତିକ୍ତତାର ସୂତ୍ରପାତ ହୋଇଥିଲା । ଏହି କାରଣରୁ ରାଜ୍ୟ ରାଜନୀତିରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତିତ ସମୀକରଣ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ହେଉଛି ।

ଏସବୁ ମଧ୍ୟରେ ବିଜେପି ମଧ୍ୟ ନୀତୀଶଙ୍କ ପ୍ରତ୍ୟେକ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛି । ବିହାର ପ୍ରଦେଶର ସମସ୍ତ ଦଳୀୟ ନେତାଙ୍କୁ ଦିଲ୍ଲୀ ଡକାଇଛନ୍ତି ବିଜେପି ହାଇକମାଣ୍ଡ । ତେବେ ନୀତୀଶ ସର୍ବଦା ନିଜ ସୁବିଧା ଅନୁସାରେ ଦଳ ତଥା ମେଣ୍ଟ ପରିବର୍ତ୍ତନ କରୁଥିବା ଜଣେ ସୁବିଧାବାଦୀ ରାଜନେତା ଭାବେ ଜଣାଶୁଣା । ଗତ କିଛି ବର୍ଷ ମଧ୍ୟରେ ସେ ୫ଥର ମେଣ୍ଟ ପରିବର୍ତ୍ତନ କରିସାରିଛନ୍ତି । ଏବେ ଯେତେବେଳେ ରାମ ମନ୍ଦିର ଉଦ୍‌ଘାଟନକୁ ନେଇ ବିଜେପି ଦେଶବ୍ୟାପୀ ଫେଭରିଟ୍ ରହିଥିବା ଦେଖିବାକୁ ମିଳୁଛି ସେତେବେଳେ ନୀତୀଶ ମେଣ୍ଟ ପରିବର୍ତ୍ତନ କରି ପୁନର୍ବାର ଏନ୍‌ଡିଏର ସହଯୋଗୀ ସାଜିବା ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି ମତପ୍ରକାଶ ପାଇଛି ।

Comments are closed, but trackbacks and pingbacks are open.