ନୀତୀଶ ଲଗାଇଛନ୍ତି ଫେବିକଲ: ପ୍ରଶାନ୍ତ କିଶୋର

205

ପାଟନା: ଜନ ସ୍ୱରାଜ ପଦଯାତ୍ରାର ସୂତ୍ରଧର ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି । ଆଜି ସେ କହିଛନ୍ତି ନୀତୀଶ କୁମାରଙ୍କର ପାଖରେ ବିହାରର କୌଣସି ବି ସ୍ଥାନରୁ ନିର୍ବାଚନ ଲଢ଼ିବାର ସାହସ ନାହିଁ । ସେ ନିର୍ବାଚନ ଲଢ଼ିବାକୁ ଭୟ କରନ୍ତି । ଅନେକ ବର୍ଷ ପୂର୍ବରୁ ସେ ନିର୍ବାଚନ ଲଢ଼ିବା ଛାଡିଦେଇଛନ୍ତି । ଦଳ ପରିବର୍ତ୍ତନ କରି ସେ ଫେବିକଲ ସାହାଯ୍ୟରେ ଚେୟାରରେ ବସିଛନ୍ତି । ରୋସଡାର ସୋନୁପୁରରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ବିହାରର ଦୁର୍ଦ୍ଦଶା ପାଇଁ କେବଳ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ।

କ୍ଷମତାର ଲୋଭରେ ସେ ରାଜ୍ୟକୁ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ବିହାରରେ ବିଗିଡିଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାନ୍ତ କିଶୋର ନୀତୀଶଙ୍କ ୧୮ ବର୍ଷର କଳା ଅଧ୍ୟାୟ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବିହାରର ଦୁଇ ପିଢ଼ି ଅଶିକ୍ଷିତ ରହିଛନ୍ତି। ବେକାରୀ ଯୋଗୁଁ ବିହାରର ଯୁବକ କାମ ସନ୍ଧାନରେ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି । ଗାଁର ୫୦ ରୁ ୬୦ ପ୍ରତିଶତ ଯୁବକ ବାହାରେ ରହିଥିବାରୁ ପରିବାର ଏବଂ ସମାଜର ଧାରଣା ନଷ୍ଟ ହୋଇଯାଇଛି। ଉଲ୍ଲେଖ ଥାଉ କି କିଛିଦିନ ତଳେ ପ୍ରଶାନ୍ତ କିଶୋର କହିଥିଲେ ଯେ ନୀତୀଶ କୁମାର ନିଜକୁ ଜଣେ ଇଞ୍ଜିନିୟର ବୋଲି କହୁଥିଲେ ବି ସେମିକଣ୍ଡକ୍ଟର କ’ଣ ଜାଣନ୍ତି ନାହିଁ ।

Comments are closed, but trackbacks and pingbacks are open.