କୁରାଳ ଗ୍ରାମରୁ ଅମ୍ରିତ ନିଖୋଜ ହେବା ଘଟଣାରେ ନୂଆମୋଡ଼: ୫ଦିନପରେ ଏକଘରୁ ଖସି ଆସିଲା ଅମ୍ରିତ, ଅପହରଣ ସନ୍ଦେହରେ ବାପ ଓ ୨ପୁଅ ଅଟକ

11

ଭୁବନେଶ୍ବର: ଓଡ଼ଗାଁ ଆଦର୍ଶଥାନା ଅନ୍ତର୍ଗତ କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ନିଖୋଜ ହେବାର ୫ ଦିନ ପରେ ଆଜି ଉଦ୍ଧାର ହୋଇଛି । ସେହି କୁରାଳ ଗାଁର ଏକ ନିଛାଟିଆ ଘର ମଧ୍ୟରୁ ଅମ୍ରିତକୁ ଉଦ୍ଧାର କରାଯାଇଛି । ଆଜି ସକାଳ ୮ଟା ସମୟରେ ଏହି ଘରର ଲୁହାଗେଟ ଭିତରେ ଥାଇ ଅମ୍ରିତ୍ ହାତଠାରି ଡ଼ାକିଥିଲା । ସେହିସମୟରେ ଜଣେ ପଡୋଶୀ ମହିଳା ଗାଁ ଦାଣ୍ଡରେ ଥିବା ପାଣି ଟ୍ୟାପ୍‌ରୁ ପାଣି ଆଣିବାକୁ ଯାଇଥିଲେ । ସେ ଗେଟ୍ ଭିତରୁ କେହି ଜଣେ ହାତଠାରି ଡାକୁଥିବା ଜାଣି ପାଖକୁ ଯାଇ ଅମ୍ରିିତକୁ ଦେଖିଥିଲେ । ସେ ଅମ୍ରିତ୍‌କୁ ଚିହ୍ନିପାରି ଅନ୍ୟମାନଙ୍କୁ କହିଥିଲେ । ଗ୍ରାମର ଯୁବ ସାମ୍ବାଦିକ ଗଣେଶ୍ୱର ସାହୁଙ୍କୁ ଏ ସଂପର୍କରେ ଖବର ମିଳିଥିଲା । ଗଣେଶ୍ୱର ଘଟଣା ସ୍ଥଳକୁ ଧାଇଁଯାଇ ଅମ୍ରିତକୁ କୋଳେଇ ନେଇଥିଲେ । ଘଟଣା ପ୍ରଘଟ ହେବାପରେ ଗାଁର ଶହଶହ ଲୋକ ସେଠାରେ ରୁଣ୍ଢ ହୋଇଥିଲେ । ସ୍ଥାନୀୟ ସରପଞ୍ଚ ବିଜନ ପାଇକରାୟ ଓ ଅମ୍ରିତର ବାପା, ମା’ ଆସି ସେଠାରେ ପହଞ୍ଚିଥିଲେ । ଖବରପାଇ ଓଡ଼ଗାଁ ପୁଲିସ ପହଞ୍ଚି ଅମ୍ରିତକୁ ଉଦ୍ଧାରକରି ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଅମ୍ରିତ ଅକ୍ଷତ ଅବସ୍ଥାରେ ଫେରିଥିବାରୁ କୁରାଳ ଗ୍ରାମରେ ଖୁସିର ଲହରି ଖେଳିଯାଇଥିଲା । ମିଠାବାଣ୍ଟି ସମସ୍ତେ ଖୁସି ମନାଇଥିଲେ । ଅମ୍ରିତର ମାନସିକ ଅବସ୍ଥା ଭଲନଥିବାରୁ ତାକୁ ଅଧିକ କିଛି ପଚରା ଉଚରା କରାଯାଇ ନାହିଁ । ସେ କେଉଁଠି କିପରି ଅବସ୍ଥାରେ ଥିଲା ଏବଂ ତାକୁ କିଏ ନେଇଥିଲା ସେ ସଂପର୍କରେ ପଚରାଉଚୁରା କରିବା ଉପରେ ବାରଣ କରାଯାଇଛି । ଅମ୍ରିତର ମାନସିକ ଅବସ୍ଥାରେ ସୁଧାର ଆସିବାକୁ ପରିବାର ଓ ବନ୍ଧୁବାନ୍ଧବମାନଙ୍କ ପାଖରେ ଛଡ଼ାଯାଇଛି । ଏପଟେ ଅପହରଣକାରୀକୁ ଧରିବାକୁ ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଛି । ଗତ ୧୫ ତାରିଖରେ ଅମ୍ରିତ ଟ୍ୟୁସନ୍ ସାରି ଘରୁ ଫେରୁଥିବା ବେଳେ ତାକୁ ଅପହରଣ କରାଯାଇଥିଲା । ତା’ର ସାଇକେଲ ଏକ ବୁଦା ମୂଳରୁ ମିଳିଥିଲା । ପରେ ପୁଲିସ୍ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ନେଇ ତଦନ୍ତ ଆରମ୍ଭ କରିଥିଲା । ହେଲେ କିଛି ସୁରାକ୍ ପାଇନଥିଲା । ଆଜି ଏକ ନିରୋଳା ଘରେ ଅମ୍ରିିତର ଉପସ୍ଥିତି ସମସ୍ତଙ୍କୁ ଚକିତ କରିଛି । ଯାହା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କିଛି ଲୋକ ମୁହଁରେ ମୁଖାପିନ୍ଧି ଅମ୍ରିତକୁ ଅପହରଣ କରିନେଇଥିଲେ । ୫ଦିନ ନିଜ ହେପାଜତରେ ରଖିବାପରେ ଆଜି ଆଣି ଏକ ଘରଭିତରେ ଛାଡ଼ିବାହାରୁ ଗେଡା ଦେଇ ଚାଲିଯାଇଛନ୍ତି । ତେବେ ଅପହରଣକାରୀ କେତେବେଳେ ଆଣି ଛାଡିଲେ, ସାଙ୍ଗରେ କେତେଜଣ ଥିଲେ ତାହା ଜଣାପଡ଼ିନାହିଁ । ଖବରପାଇ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ଓଡ଼ଗାଁ ଥାନାରେ ପହଁଞ୍ଚି ଅମ୍ରିତା ସହିତ ତାର ବାପାମାଆଙ୍କ ସହିତ ଭେଟିଥିଲେ । ଅପରାଧୀକୁ ଖୁବଶୀଘ୍ର ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ପୁଣି ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କ ନେତୃତ୍ୱରେ ଡ୍ରଗସ୍କ୍ୱାଡ ଏବଂ ସାଇଣ୍ଟିଫିକ ଟିମ୍ ଅମ୍ରିତ ଉଦ୍ଧାର ହୋଇଥିବା ଘର ଆଖପାଖ ତଲାସି ଥିଲେ । ଅମ୍ରିତ ଅପହରଣ ଘଟଣାରେ କୁରାଳ ଗ୍ରାମର ସନ୍ତୋଷ କୁମାର ପଣ୍ଡା (ଟୁନୁ), ତାଙ୍କର ବଡ଼ପୁଅ ଦର୍ଶନ ପଣ୍ଡା ଓ ସାନପୁଅ ପ୍ରସାଦ ପଣ୍ଡାଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି । ଆଜି ଅମ୍ରିତ ଯେଉଁ ଘରୁ ଉଦ୍ଧାର ହୋଇଛି ତାହା ହେଉଛି ସନ୍ତୋଷ ପଣ୍ଡାଙ୍କ ବଡ଼ଭାଇ ସୁଶାନ୍ତ ପଣ୍ଡାଙ୍କର । ସୁଶାନ୍ତ ପଞ୍ଜାବରେ ରହୁଥିବାରୁ ସନ୍ତୋଷ ସେହି ଘରର ତଦାରଖ କରନ୍ତି । କିନ୍ତୁ ସେହିଘରେ କେହି ରହନ୍ତି ନାହିଁ । ତାଙ୍କର ମଧ୍ୟ ଏକ ପିକ୍‌ଅପ୍ ଗାଡ଼ିଥିବାରୁ ପୁଲିସର ସନ୍ଦେହ ଆହୁରି ବଢିଯାଇଛି ।

Comments are closed, but trackbacks and pingbacks are open.