ସାନଘାଗରାରେ ପ୍ରତିଷ୍ଠା ହେବ ନୂତନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

118

ଭୁବନେଶ୍ୱର: କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବ ନୂତନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର। ପ୍ରାୟ ୧୩୪ ଏକର ପରିମିତ ଅଞ୍ଚଳରେ ଏହା ପ୍ରତିଷ୍ଠା ହେବ। ୨୦୨୭ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ କେନ୍ଦ୍ର ବିଷୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ପ୍ରଶାସନ ସହ ଆଲୋଚନା କରିଛନ୍ତି। ଏହା ହିଁ ହେବ ମୁଖ୍ୟମନ୍ତ୍ରୀଙ୍କର ମାନସ ପ୍ରକଳ୍ପ। କେନ୍ଦ୍ର, ଜୈବ ବିବିଧତା ସଂରକ୍ଷଣ, କମ୍ୟୁନିଟି ସେଣ୍ଟର୍‌, ଇକୋ-ଟୁରିଜିମ୍ ଏବଂ ଗବେଷଣା ଓ ଶିକ୍ଷାର ବିକାଶ ପାଇଁ ନିର୍ମାଣ କରାଯିବ। ଏହି ସ୍ଥାନଟି ପ୍ରାକୃତିକ ଅଭିଜ୍ଞତା ଏବଂ ଥିମାଟିକ୍ ଗାର୍ଡେନ୍‌ର ଅନୁଭୂତି ପ୍ରଦାନ କରିବ। ଏହି କେନ୍ଦ୍ରରେ ଓଡ଼ିଶାରେ ଥିବା ବିଭିନ୍ନ ପ୍ରଜାତିର ଅର୍କିଡ୍ ଉପଲବ୍ଧ ହେବା ସହିତ ଗୋଲାପ, ବାଉଁଶ, କାକ୍‌ଟସ୍‌, ଜଙ୍ଗଲୀ ଫଳ ଇତ୍ୟାଦି ମଧ୍ୟ ସ୍ଥାନିତ ହୋଇ ଅଞ୍ଚଳର ଶୋଭା ମଣ୍ଡନ କରିବ। ଏହି ଅଞ୍ଚଳକୁ ବିଶେଷ ପର୍ଯ୍ୟଟନ ସ୍ଥଳ ଭାବେ କାର୍ଯ୍ୟକାରୀ କରିବା ପାଇଁ ଏହାକୁ ବର୍ଷତମାମ ପର୍ଯ୍ୟଟକ ଓ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହୁଥିବାରୁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଏହାର ଉଚିତ୍ ପ୍ରତିକାର ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଗଭୀର ଟ୍ରେଞ୍ଚ୍ ଦ୍ୱାରା ମଣିଷ-ହାତୀଙ୍କର ସଂଘର୍ଷକୁ ରୋକିବା ପାଇଁ ପରାମର୍ଶ ଦେଇଥିଲେ। ଏହି ନୂତନ ନିର୍ମାଣ ଯୋଗୁଁ ସେହି ସ୍ଥାନ ଦେଇ ବହିଯାଉଥିବା ମାଛକାନ୍ଦଣା ନଦୀର ଜଳ ଯେପରି ସବୁବେଳେ ଭରପୂର ରୁହେ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ଏହି କେନ୍ଦ୍ରରେ ଅର୍କିଡ୍ ସଂରକ୍ଷଣ ଏବଂ ପ୍ରଦର୍ଶନ କେନ୍ଦ୍ର, ପଦ୍ମ ଉଦ୍ୟାନ, ଜଙ୍ଗଲୀ ଖାଦ୍ୟଯୋଗ୍ୟ ଫଳ ଉଦ୍ୟାନ, ଫର୍ଣ୍ଣ ଉଦ୍ୟାନ, ଔଷଧୀୟ ଉଦ୍ଭିଦ ଉଦ୍ୟାନ, ଫୁଲ ବଜାର, ଛୋଟ ପିଲାଙ୍କ ଖେଳ ସ୍ଥାନ ନିର୍ମାଣ ହେବା ସହିତ ସମସ୍ତ ଆସବାବପତ୍ର ପାଇଁ ସ୍ଥାନୀୟ ପଥର ଏବଂ କାଠର ବ୍ୟବହାର କରାଯିବ। ଏହି ନିର୍ମାଣ କାର୍ଯ୍ୟ ୨୦୨୭ ସୁଦ୍ଧା ସମାପ୍ତ ହେବ ବୋଲି ଆଲୋଚନାରୁ ଜଣାପଡ଼ିଛି।
ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଏବଂ ବନ ବାହିନୀର ମୁଖ୍ୟ ସୁରେଶ ପନ୍ତ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ଆଭାସୀ ମାଧ୍ୟମରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂହ ଓ କେନ୍ଦୁଝର ଡିଏଫ୍‌ଓ ଧନରାଜ ହନୁମନ୍ତ ଧାମଡେରେ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.