ଷଷ୍ଠଥର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ହେବେ ନେତାନ୍ୟାହୁ

27

ତେଲ୍‌ଆଭିଭ୍‌: ବେଞ୍ଜାମିନ୍ ନେତାନ୍ୟାହୁ ଷଷ୍ଠଥର ପାଇଁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ହେବେ । ବୁଧବାର ବିଳମ୍ବିତ ରାତିରେ ସରକାର ଗଠନ ପାଇଁ ଡେଡ୍‌ଲାଇନ୍ ଶେଷ ହେବାର ୧୦ ମିନିଟ୍ ପୂର୍ବରୁ ରାଷ୍ଟ୍ରପତି ଇସାକ୍ ହର୍ଜୋଗେଙ୍କୁ ଫୋନ୍‌କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହାପରେ ଟ୍ୱିଟ୍‌କରି ସେ କହିଥିଲେ ସବୁକିଛି ମ୍ୟାନେଜ୍ ହୋଇଯାଇଛି । ନେତାନ୍ୟାହୁ ୬ ଦଳିଆ ମେଣ୍ଟ ସରକାରର ନେତୃତ୍ୱ ନେବାକୁ ଯାଉଛନ୍ତି । ଏହାକୁ ଇସ୍ରାଏଲ୍ ଇତିହାସରେ ସବୁଠୁ କଟ୍ଟରପନ୍ଥୀ ସରକାର କୁହାଯାଉଛି । ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ସବୁଠୁ ଭଲ ବନ୍ଧୁ ବୋଲି କହିଥାନ୍ତି । ନିର୍ବାଚନ ପ୍ରଚାର ବେଳେ ଭାରତ-ଇସ୍ରାଏଲ୍ ସମ୍ବନ୍ଧ ଏବଂ ମୋଦୀଙ୍କ ନାମ ବହୁଥର ଉଠାଇଛନ୍ତି । ସଂସଦରେ ସଂଖ୍ୟାଗରିଷ୍ଠତା ହରାଇବା ପରେ ନେତାନ୍ୟାହୁ ଗତବର୍ଷ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଚଳିତବର୍ଷ ନଭେମ୍ବର ୧ରେ ହୋଇଥିବା ନିର୍ବାଚନରେ ତାଙ୍କ ଲିକୁଡ୍ ପାର୍ଟି ସବଠୁ ବଡ଼ ଦଳ ଭାବେ ଉଭା ହୋଇଥିଲା । ତେବେ ସରକାରଙ୍କ ଗଠନ ପାଇଁ ତାଙ୍କ ନିକଟରେ ଆବଶ୍ୟକ ୬୧ ସଂଖ୍ୟା ନଥିଲା । ଫଳରେ ତାଙ୍କୁ ୬ ଦଳଙ୍କ ସମର୍ଥନ ନେବାକୁ ପଡ଼ିଛି । ମିଡିଆ ରିପୋର୍ଟ ଅନୁସାରେ ନେତାନ୍ୟାହୁଙ୍କ ନୂଆ ସରକାର ଇସ୍ରାଏଲ୍ ଇତିହାସରେ ସବୁଠୁ କଟ୍ଟରପନ୍ଥୀ ସରକାର ହେବ । ସରକାରରେ ସାମିଲ ସମସ୍ତ ୬ ଦଳ ୟହୁଦୀ ଧାର୍ମିକ ଦଳ ହୋଇଥିବା ବେଳେ ପାଲେଷ୍ଟାଇନ୍ ପ୍ରସଙ୍ଗରେ ବହୁ କଟ୍ଟରପନ୍ଥୀ ମନୋଭାବ ରଖିଥାନ୍ତି ।

Comments are closed, but trackbacks and pingbacks are open.