ନେପାଳ ବିମାନ ଦୁର୍ଘଟଣା ର ଧ୍ୱଂସାବଶେଷ ଠାବ

44

ସାମ୍ନାକୁ ଆସିଲା ନେପାଳରେ ଦୁର୍ଘଟଣା ଗ୍ରସ୍ତ ବିମାନର ଧ୍ୱଂସାବଶେଷର ପ୍ରଥମ ଫଟୋ । ମୁସ୍ତାଙ୍ଗ ଅଞ୍ଚଳର କୋବନରୁ ଧ୍ୱଂସାବଶେଷର ପ୍ରଥମ ଫଟୋ ଜାରି କରିଛି ନେପାଳ ସେନା । ନେପାଳ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନେପାଳର ମୁସ୍‌ତାଙ୍ଗ ଜିଲ୍ଲାର ପର୍ବତ ଘେରା ଅଞ୍ଚଳ ଭିତରୁ ବିମାନଟିକୁ ଠାବ କରାଯାଇଛି। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରୁ ୧୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଗତକାଲି ବରଫପାତ ଯୋଗୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳଠାରୁ ଅପରେସନ୍ ଆରମ୍ଭ ହୋଇଥିବା ନେପାଳ ସେନାର ମୁଖପାତ୍ରଙ୍କ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଉଭୟ ବାୟୁସେନା ଓ ସ୍ଥଳ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଗତକାଲି ନେପାଳର ପୋଖର ଅଭିମୁଖେ ବିମାନଟି ଉଡାଣ ଭରିବା ପରେ ମଝି ଆକାଶରେ ସକାଳ ୯ଟା ୫୫ରେ ବିମାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା । ଶେଷଥର ପାଇଁ ବିମାନଟି ମୁସ୍ତାଙ୍ଗ ଜିଲ୍ଲାର ଜୋମସୋମ୍ ଆକାଶରେ ଦେଖିବାକୁ ମିଳିଥିଲା । ଏହାପରେ ବିମାନଟିକୁ ଏମଟି ଧଉଳିଗିରି ଅଭିମୁଖେ ଡାଇଭର୍ଟ କରାଯାଇଥିଲା । ଆଉ ତା’ପର ଠାରୁ ବିମାନ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା । ଖବର ପାଇ ନେପାଳ ଆର୍ମି ହେଲିକପ୍ଟର ବିମାନକୁ ଖୋଜିବା ପାଇଁ ଯାଇଥିଲେ ମଧ୍ୟ ପାଗ ଖରାପ ଯୋଗୁ ଖୋଜି ନପାରି ଫେରି ଆସିଥିଲା । ବିମାନରେ ୪ ଓଡ଼ିଆଙ୍କ ସମେତ ୨୨ ଜଣଙ୍କୁ ନେଇ ବିମାନଟି ଯାଉଥିଲା ।

ଚାରି ଓଡିଆ ହେଲେ ଅଶୋକ କୁମାର ତ୍ରିପାଠୀ, ପତ୍ନୀ ରିତିକା ତ୍ରିପାଠୀ, ପୁଅ ଧନୁଷ ତ୍ରିପାଠୀ ଏବଂ ଝିଅ ବୈଭବୀ ତ୍ରିପାଠୀ । ଏପର୍ଯ୍ୟନ୍ତ ଯାତ୍ରୀମାନଙ୍କର କୌଣସି ପତା ମିଳିପାରିନାହିଁ । ଅଶୋକଙ୍କ ଶ୍ୱଶୁର ଘର ମୁମ୍ବାଇରେ । ପୁଅ, ଝିଅଙ୍କ ସହ ପତ୍ନୀ ବାପ ଘର ମୁମ୍ବାଇରେ ରହୁଥିଲେ । ଅଶୋକ ଭୁବନେଶ୍ୱରରେ ରହି ଏକ ସଫ୍ଟୱେୟାର ସଂସ୍ଥାରେ କାମ କରୁଥିଲେ । ସେ ସୋନପୁରର ମୁଳ ବାସିନ୍ଦା ହୋଇଥିବା ବେଳେ ଭୁବନେଶ୍ୱରରେ ରହୁଥିଲେ । ଗତ ୨୬ ତାରିଖରେ ସେ ପରିବାର ସହ କାଠମାଣ୍ଡୁ ଗସ୍ତ କରିଥିଲେ । ଅଶୋକ ତାଙ୍କ ପରିବାର ସହ ଆସନ୍ତା ୬ ତାରିଖରେ ଫେରିବାର ଥିଲା ।

Comments are closed, but trackbacks and pingbacks are open.