ନେପାଳ ବିପର୍ଯ୍ୟୟ: ଆଉ ୩ ଓଡ଼ିଆ ନିଖୋଜ

17

ଭୁବନେଶ୍ବର: ନେପାଳରେ ଜାରି ରହିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ମଧ୍ୟରେ ଆଉ ୩ ଜଣ ଓଡ଼ିଆ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ନିଖୋଜମାନେ ହେଉଛନ୍ତି ବରଗଡ଼ ଜିଲ୍ଲା ଜାମପାଲି ଗ୍ରାମର ଗୁନ୍ନମ ଜୟକୃଷ୍ଣା, ତାଙ୍କ ସ୍ତ୍ରୀ ଗୁନ୍ନମ ସାଇ ବିନ୍ଦୁ କୁମାରୀ ଏବଂ ସେମାନଙ୍କ ୨ ବର୍ଷର ଶିଶୁକନ୍ୟା। ଏହାକୁ ମିଶାଇ ନେପାଳ ବିପର୍ଯ୍ୟୟରେ ନିଖୋଜ ଓଡ଼ିଆଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସୂଚନା ଅନୁସାରେ, ଜୟକୃଷ୍ଣା ନେପାଳର ଏକ ହାଇଡ୍ରୋ ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ବେଳେ ନିଜ ପରିବାର ସହ ସେଠାରେ ରହୁଥିଲେ। ତେବେ ପ୍ରକୃତିର ତାଣ୍ଡବ ଯୋଗୁଁ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବାରୁ ସେମାନଙ୍କର କୌଣସି ପତ୍ତା ମିଳୁନାହିଁ। ଏହି ଖବର ପହଞ୍ଚିବା ପରେ ଜାମପାଲିସ୍ଥିତ ପରିବାର ଓ ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ନେପାଳ ବନ୍ୟାରେ ପୂର୍ବରୁ ୨ ଜଣ ଓଡ଼ିଆ ନିଖୋଜ ଥିବା ବେଳେ ଏବେ ଆଉ ୩ ଜଣଙ୍କ ପତ୍ତା ନମିଳିବା ଉଦ୍ଧାର କାର୍ଯ୍ୟ ଏବଂ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇ ଦେଇଛି।

Comments are closed, but trackbacks and pingbacks are open.