ଉପ-ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ୍‌

19

ଆଜି ସଂସଦ ଭବନରେ ଉପ-ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏନଡିଏ ସମର୍ଥିତ ପ୍ରାର୍ଥୀ ଜଗଦୀପ ଧନଖଡ୍‌ I ରାଜ୍ୟସଭା ସେକ୍ରେଟାରୀ ଜେନେରାଲ୍‌ଙ୍କ ପାଖରେ ଦାଖଲ କରିଛନ୍ତି ନାମାଙ୍କନପତ୍ର I ନାମାଙ୍କନ ଦାଖଲ କରିବା ପୂର୍ବରୁ ସେ ପଶ୍ଚିମବଙ୍ଗର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି I ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହା ସହିତ ବିଜୁ ଜନତା ଦଳ ଓ ଲୋକ ଜନଶକ୍ତି ପାର୍ଟିର ସାଂସଦ ମଧ୍ୟ ଉପସ୍ଥିତ ଥିଲେ।
ଶ୍ରୀ ଧନଖଡ଼ଙ୍କ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ମୋଦି ହିଁ ଦସ୍ତଖତ କରିଛନ୍ତି। ଏଥିସହ ତାଙ୍କ ପ୍ରାର୍ଥିପତ୍ରକୁ ମୋଦି ହିଁ ରିଟର୍ଣ୍ଣିଂ ଅଫିସରକୁ ହସ୍ତାନ୍ତର କରିଛନ୍ତି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ମଧ୍ୟ ମୋଦି ଏମିତି କରିଥିଲେ।

ଧନଖଡ଼ଙ୍କ ପ୍ରାର୍ଥିତ୍ୱକୁ ଓଡ଼ିଶାର କ୍ଷମତାସୀନ ବିଜେଡି ସମର୍ଥନ ଘୋଷଣା କରିଛି। ସେହିପରି ତାମିଲନାଡୁର ବିରୋଧୀ ଦଳ ଏଆଇଏଡିଏମକେ ମଧ୍ୟ ଉପ ରାଷ୍ଟ୍ରପତି ନିର୍ବାଚନରେ ଧନକଡ଼ଙ୍କୁ ସମର୍ଥନ କରିବ। ବିଜେଡି ଧନକଡ଼ଙ୍କୁ ସମର୍ଥନ କରିଥିବାରୁ ଦଳୀୟ ସାଂସଦ ପିନାକୀ ମିଶ୍ର ଆଜି ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିଥିଲେ। ଜୁଲାଇ ୧୬ ତାରିଖରେ ଏନଡିଏ ପକ୍ଷରୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ଼ଙ୍କ ନାମ ଘୋଷଣା କରାଯାଇଥିଲା । ଏନେଇ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ।

Comments are closed, but trackbacks and pingbacks are open.