ଓମିକ୍ରନ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୨-୨୩ ଶିକ୍ଷାବର୍ଷରେ ସିଲାବସ୍ ହ୍ରାସ କରିବ NCERT

0 23

ଜାତୀୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଆାଗମୀ ୨୦୨୨-୨୩ ଶିକ୍ଷାବର୍ଷରେ ସିଲାବସ ହ୍ରାସ କରିବେ। ଦେଶର ଶିକ୍ଷା କ୍ଷେତ୍ର ଉପରେ କରୋନା ଭାଇରସ ମହାମାରୀର ପ୍ରକୋପକୁ ନଜରରେ ରଖି ଏହି ନିଷ୍ପତ୍ତି ହୋଇଛି। ମହାମାରୀ ଯୋଗୁ ଛାତ୍ରଛାତ୍ରୀ ସ୍କୁଲ ମାଡି ପାରୁ ନାହାନ୍ତି। ଭୂତାଣୁ ପ୍ରକୋପ ହ୍ରାସ ପରେ ସରକାର ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଲାଗି ଅତି ବେଶିରେ ୨-୩ଟି ଶ୍ରେଣୀ ଚଳାଇ ପାରୁଥିବା ବେଳେ ଏବେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବିଦ୍ୟାଳୟ ଚାଲି ପାରୁ ନାହିଁ। ଏଥିରେ କରୋନାର ନୂଆ ଭାରିଏଣ୍ଟ ଏବେ ପୁଣି ଚିନ୍ତାର କାରଣ ପାଲଟିଛି।
ଜାତୀୟ ପାଠ୍ୟ ଚର୍ଚା ରୂପରେଖ (ଏନସିଏଫ) ଆସିବାରେ ଏବେ ବିଳମ୍ବ ଅଛି। ଏଣୁ ଏନସିଇଆରଟି ଆଗାମୀ ବର୍ଷ ସବୁ ଶ୍ରେଣୀର ପୁସ୍ତକର ପାଠ୍ୟ ବିଷୟ ଓ ପାଠ୍ୟକ୍ରମ ଉଭୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନସିଇଆରଟି ଇନ-ଚାର୍ଜ ଶ୍ରୀଧର ଶ୍ରୀବାସ୍ତବ ଏଥିଲାଗି ଗତ ସେପ୍ଟେମ୍ବର ମାସରେ ପତ୍ର ଲେଖି ବିଭାଗ ଅଧ୍ୟକ୍ଷ ଓ ବିଶେଷଜ୍ଞଙ୍କୁ ସମୀକ୍ଷା କରିବା ଲାଗି ନିର୍ଦ୍ଦେଶ ଜାରି କରିଥିଲେ। ସେହି ଅନୁସାରେ ବିଭାଗ ଅଧ୍ୟକ୍ଷ ୨୮ ଡିସେମ୍ବର ସୁଦ୍ଧା ଏନସିଇଆରଟିଙ୍କୁ ସେମାନଙ୍କ ସମୀକ୍ଷା ରିପୋର୍ଟ ପ୍ରଦାନ କରିଛନ୍ତି। ସେହି ଅନୁସାରେ ନିର୍ଦ୍ଦେଶକ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ପରିବର୍ତ୍ତିତ ପୁସ୍ତକ ପ୍ରକାଶନ ନିମନ୍ତେ ଆଦେଶ ମଧ୍ୟ ଜାରି କରିଛନ୍ତି।
ପାଠ୍ୟ ପୁସ୍ତକରେ ବିଷୟ ଓ ପାଠ୍ୟକ୍ରମ ହ୍ରାସ ଲାଗି ନିଷ୍ପତ୍ତି କରୋନା କାଳରେ ଛାତ୍ରଛାତ୍ରୀ ଅନଲାଇନ ଓ ଅନ୍ୟ ମାଧ୍ୟମରେ ପଢିବା ଲାଗି ଅନୁଭବ କରୁଥିବା ଅସୁବିଧାକୁ ନଜରରେ ରଖି ନିଆଯାଇଛି। ଏହା ଛଡା ସଂସଦର ପବ୍ଲିକ ଆକାଣ୍ଟ କମିଟି (ପିଏସି) ଓ ନୂଆ ଶିକ୍ଷାନୀତି ୨୦୨୦ ଲାଗି ମଧ୍ୟ ଏହି ନିଷ୍ପତ୍ତି ହୋଇଛି। ଏନସିଏଫ ଆଧାରିତ ନୂଆ ପୁସ୍ତକ ୨୦୨୩-୨୪ରେ ଆସିପାରେ। ଏଣୁ କର୍ତ୍ତୃପକ୍ଷ ପାଠ୍ୟକ୍ରମ ହ୍ରାସ କରିଛନ୍ତି। ବିସ୍ତୃତ ସୂଚନା ଲାଗି ଛାତ୍ରଛାତ୍ରୀ ଏନସିଆରଟିଙ୍କ ଅଫିସିଆଲ ୱେବ୍‌ ସାଇଟ୍‌ ଅନୁଧ୍ୟାନ କରିବାକୁ କୁହାଯାଇଛି।

Leave A Reply

Your email address will not be published.