ସ୍ନାତକ ପାଠ୍ୟକ୍ରମରେ ସାମିଲ ହେବ ଏନ୍‌ସିସି

24

ୟୁନିଭର୍‌ସିଟି ଗ୍ରାଣ୍ଟ କମିଶନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକରେ ଏନ୍‌ସିସିକୁ ସ୍ନାତକ (ୟୁଜି) ସ୍ତରରେ ପାଠ୍ୟକ୍ରମରେ ସାମିଲ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ୟୁଜିସିର ମଡେଲ ସିଲାବସ୍‌ ଆଧାରରେ ୟୁଜି ସ୍ତରରେ ଏନ୍‌ସିସିକୁ ଜେନେରାଲ ଇଲେକ୍ଟିଭ ବିଷୟବସ୍ତୁ ଭାବେ ପଢ଼ାଯିବ ।

ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏ ନେଇ ସୋମବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟକୁ କୁଳପତି ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ବର୍ତ୍ତମାନ ଏନ୍‌ସିସି ଏକ ପାଠ୍ୟକ୍ରମ ବାହାର କାର୍ଯ୍ୟକ୍ରମ ଭାବେ ରହିଥିବାରୁ ଛାତ୍ରଛାତ୍ରୀମାନେ ଏନେଇ ସେମାନଙ୍କର ପାଠ୍ୟକ୍ରମରେ କୌଣସି ଲାଭବାନ ପଏଣ୍ଟ ପାଇପାରୁ ନାହାନ୍ତି । ୨୦୨୦ ଜାତୀୟ ଶିକ୍ଷାନୀତି ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ବିଷୟବସ୍ତୁ ଓ ବାହ୍ୟବିଷୟବସ୍ତୁ କାର୍ଯ୍ୟକଳାପ ମଧ୍ୟରେ ଥିବା ପ୍ରଭେଦକୁ ଦୂର କରିବା ପାଇଁ ଚେଷ୍ଟା କରିଛନ୍ତି । ସେଥିପାଇଁ ୟୁନିଭର୍‌ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ଏନ୍‌ସିସି ଡିଜି ନୂଆଦିଲ୍ଲୀଙ୍କ ପ୍ରସ୍ତାବ କ୍ରମେ ଏନ୍‌ସିସିକୁ ଏକ ଇଲେକ୍ଟିଭ ବିଷୟବସ୍ତୁ ଭାବରେ ଗ୍ରହଣ କରିବା ସହିତ ଏ ନେଇ ସମ୍‌ସ୍ତ ବିଶ୍ରବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କୁ ଚଏସ୍‌-ବେସଡ୍‌ କ୍ରେଡିଟ୍‌ ସିଷ୍ଟମ୍‌ (ସିବିସିଏସ୍‌) ଅଧୀନରେ ଏନ୍‌ସିସିକୁଏକ ଜେନେରିକ୍‌ ଇଲେକଫିଭ୍‌ କ୍ରେଡିଟ୍‌ କୋର୍ସ ଭାବରେ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ।

ଆସନ୍ତା ଶିକ୍ଷାବର୍ଷଠାରୁ ଏହା ଲାଗୁ ହେବ । ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯିବ ଏବଂ ଏନ୍‌ସିସି ୟୁନିଟ୍‌ ଥିବା ୧୮୩ଟି ମହାବିଦ୍ୟାଳୟରେ ଉପଲବ୍ଧ ହେବ । ଏଥିରେ ସିଲାବସ୍‌ କ’ଣ ରହିବ ଏବଂ ପରୀକ୍ଷା କିପରି ହେବ, ସେ ନେଇ ମଧ୍ୟ ଚିଠିରେ ସମସ୍ତ ସୂଚନା ପ୍ରଦାନ କରାଯାଇଛି । ଏହି ବିଷୟ ପାଇଁ ୪ଟି ସେମିଷ୍ଟରର ୪୦୦ ମାର୍କର ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତି ସେମିଷ୍ଟାରରେ ୪ଟି ୟୁନିଟ୍‌, ୬ଟି କ୍ରେଡିଟ୍‌, ୧୦୦ ମାର୍ଗ ଥାଇ ଗୋଟିଏ ପେପର ପରୀକ୍ଷା କରାଯିବ । ପ୍ରଶିକ୍ଷଣପ୍ରାପ୍ତ ଏନ୍‌ସିସି ଅଫିସରମାନେ ଫାକଲ୍‌ଟି ଭାବେ କାର୍ଯ୍ୟକରିବେ । ସେମାନଙ୍କୁ ଉଭୟ ପ୍ରାକ୍ଟିକାଲ ଓ ଲିଖିତ ପରୀକ୍ଷା ପାଇଁ ଡି.ଜି. ଏନ୍‌ସିସିଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ । ଏହି ପାଠ୍ୟକ୍ରମ ସଂପୂର୍ଣ୍ଣ କରିବା ପରେ ଛାତ୍ରଛାତ୍ରୀମାନଙ୍କୁ କ୍ରେଡିଟ୍‌ ପଏଣ୍ଟ ପ୍ରଦାନ କରାଯିବ। ଯାହା ତାଙ୍କର ନିର୍ଦ୍ଧାରିତ ଡିଗ୍ରୀରେ ଉତ୍ତୀର୍ଣ୍ଣ ହେବାରେ ସହାୟକ ହେବ ।

Comments are closed, but trackbacks and pingbacks are open.