କାଙ୍ଗାଳ ପାକିସ୍ତାନକୁ ବଡ ସ୍ବପ୍ନ ଦେଖେଇଲେ ନୱାଜ

27

ଲାହୋର : ପାକିସ୍ତାନରୁ ୪ ବର୍ଷ ପର୍ଯ୍ୟନ୍ତ ନିର୍ବାସିତ ହୋଇ ଲଣ୍ଡନରେ ରହିବା ପରେ ଏବେ ସ୍ୱଦେଶ ଫେରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । ପାକିସ୍ତାନ ଫେରିବା ପରେ ସେ ସର୍ବପ୍ରଥମେ ଲାହୋରରେ ଜନସଭା କରିଛନ୍ତି । ଏହି ସମୟରେ ଦାରିଦ୍ରରେ ସଢୁଥିବା ପାକିସ୍ତାନ ଲୋକଙ୍କ ଅସଲ ସମସ୍ୟାର ଜଡକୁ ଧରି ସେମାନଙ୍କୁ ଆଗାମୀ ଦିନର ସୁନ୍ଦର ସ୍ୱପ୍ନ ଦେଖାଇଛନ୍ତି । ନୱାଜ ସରିଫ ଆଗାମୀ ନିର୍ବାଚନରେ ନିଜ ପାର୍ଟିର ନେତୃତ୍ୱ ନେଇ ନିର୍ବାଚନ ଜିତିବା ଲକ୍ଷ୍ୟରେ ପାକିସ୍ତାନ ଫେରିଛନ୍ତି । ସେ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ଏହି କ୍ରମରେ ସେ ପାକିସ୍ତାନ ଫେରି ଜନତାଙ୍କୁ ବଡ ସ୍ୱପ୍ନ ଦେଖାଇଛନ୍ତି । ଗରିବୀ, ଭୋକ, ବେରୋଜଗାରୀ ଓ ଦୂର୍ବଳ ଅର୍ଥବ୍ୟବସ୍ଥା ମଧ୍ୟରେ ପେଶି ହୋଇ ଯାଉଥିବା ପାକିସ୍ତାନକୁ ପୁଣି ଥରେ ସ୍ୱଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ନେଇ ସେ ଜନତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ପାକିସ୍ତାନ ଫେରିବାର କିଛି ଘଣ୍ଟା ପରେ ନୱାଜ ଲାହୋରର ମୀନାର ଏ ପାକିସ୍ତାନ ଠାରେ ବହୁ ସଂଖ୍ୟାରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ପାକିସ୍ତାନ ମୁସଲିମ୍ ଲିଗ୍ ଅଧ୍ୟକ୍ଷ କହିଛନ୍ତି ଏହା ବଡ ଅବସୋସର କଥା ବି ଏବେ ପାକିସ୍ତାନର ଲୋକମାନେ ଏହା ଚିନ୍ତା କରୁଛନ୍ତି କି ସେମାନେ ବିଜୁଳି ବିଲ୍ ଭରିବେ କି ନିଜ ପିଲାଙ୍କ ଭରଣ ପୋଷଣ କରିବେ । ଏଠାରେ ଲୋକମାନେ ଦାରିଦ୍ର‌୍ୟର କଷଣ ସହି ନ ପାରି ଆତ୍ମହତ୍ୟା କରୁଛନ୍ତି ।

ସେ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ଥିବା ବେଳେ ଲୋକଙ୍‌କ ପାଖରେ ନିଜର ଚିକିତ୍ସା କରାଇବାକୁ ପର୍ଯ୍ୟାପ୍ତ ଅର୍ଥ ଥିଲା । କିନ୍ତୁ ଏବେ ଅର୍ଥ ଅଭାବରୁ ଲୋକମାନେ ନିଜର ଚିକିତ୍ସା ବି କରାଇ ପାରୁନାହାନ୍ତି । ସେ କହିଛନ୍ତି ତାଙ୍କ ସମୟରେ ଚିନି ମୂଲ୍ୟ କିଲୋ ପ୍ରତି ୫୦ ଟଙ୍କା ଥିବା ବେଳେ ଏବେ ତାହା ୨୫୦ରେ ବିକ୍ରୀ ହେଉଛି । ଜନତାଙ୍କୁ ସେ ପ୍ରଶ୍ନ କରିଛନ୍ତି ଆପଣମାନେ କ’ଣ ଏହିପରି ଜୀବନ ଜୀଇଁବାକୁ ମୋତେ ସତ୍ତାରୁ ହଟାଇ ଦେଇଥିଲେ । ଯଦି ପାକିସ୍ତାନ ତାଙ୍କର ୯୦ ଦଶକର ଆର୍ଥିକ ମଡେଲ ଅନୁଯାୟୀ ଆଗକୁ ବଢିବ ତେବେ ଦେଶରେ ବେରୋଜଗାରୀ, ଗରିବୀ ପରି ସମସ୍ୟା ଆଉ ରହିବ ନାହିଁ ।

Comments are closed, but trackbacks and pingbacks are open.