ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ନବୀନ : ଆବଶ୍ୟକତା ନା ବାଧ୍ୟବାଧକତା

23

ବିଜେଡି ଆଗାମୀ ସାଧାରଣ ନିର୍ବାଚନରେ ଏକାକୀ ଲଢ଼ିବ। ଉଭୟ ଏନଡିଏ ଓ ୟୁପିଏଠୁ ସମଦୂରତ୍ୱ ନୀତି ବଜାୟ ରଖିବ ଏବଂ କୌଣସି ତୃତୀୟ ସାମ୍ମୁଖ୍ୟରେ ସାମିଲ ହେବନି ବୋଲି ଗତ ସପ୍ତାହରେ ମତ ରଖିଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ଼ ସନ୍ଦେଶ ଦେଇଛନ୍ତି। ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ନବୀନ ଇସାରା ଇସାରାରେ କହିବା ସହ ମୋଦିଙ୍କ ନେତୃତ୍ୱ ପ୍ରତି ମଧ୍ୟ ଆସ୍ଥା ପ୍ରକଟ କରିଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପରେ ନବୀନଙ୍କ ଏଭଳି ଇସାରା ରାଜନୀତିକ ଉଷ୍ମତା ବଢ଼ାଇ ଥିବାବେଳେ ଓଡ଼ିଶା ପରିପ୍ରେକ୍ଷୀରେ ମୋଦିଙ୍କ ନେତୃତ୍ୱ ପ୍ରତି ଆସ୍ଥାପ୍ରକଟ କରି ତାଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ପାଇଁ ଇଚ୍ଛା ବ୍ୟକ୍ତ କରିବା ନବୀନଙ୍କ ଆବଶ୍ୟକତା ନା ବାଧ୍ୟବାଧକତା ତାକୁ ନେଇ ଚର୍ଚ୍ଚା।

ଆଜି ପୁରୀ-ହାୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନର ଚଳାଚଳର ଲୋକାର୍ପଣ ସହ ବିଭିନ୍ନ ରେଳବାଇ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡରେ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏହି ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଓଡ଼ିଶା ପାଇଁ ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଓ ଅନ୍ୟ କେତେକ ରେଳବାଇ ପ୍ରକଳ୍ପ ନିମନ୍ତେ ଦାବି ରଖିଛନ୍ତି। ଏହାସହିତ ନବୀନ ନିଜ ଅଭିଭାଷଣରେ ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରସଙ୍ଗରେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି କରିଥିବା ଆଲୋଚନାକୁ ମଧ୍ୟ ଉଲ୍ଲେଖ କରିବାକୁ ପଛାଇ ନାହାନ୍ତି । ପୁରୀ ବିମାନବନ୍ଦରକୁ ବିଶ୍ୱସ୍ତରୀୟ ସମୁଦ୍ରକୂଳ ବିମାନ ବନ୍ଦରରେ ପରିଣତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପରାମର୍ଶକୁ ପାଳନ କରାଯିବ ଓ ପ୍ରଧାନମନ୍ତ୍ରୀ ମୋଦି ସହାୟତାରେ ଆଗାମୀ ୩ରୁ ୪ବର୍ଷ ମଧ୍ୟରେ ଏହି ବିମାନ ବନ୍ଦର ପ୍ରସ୍ତୁତ ହେବ। ଆଉ ଶ୍ରୀକ୍ଷେତ୍ର ଆସି ପ୍ରଧାନମନ୍ତ୍ରୀ ମୋଦି ଏହି ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦରର ଲୋକାର୍ପଣ କରିବେ ବୋଲି ନବୀନ ଇଚ୍ଛା ବ୍ୟକ୍ତ କରିଛନ୍ତି ।

Comments are closed, but trackbacks and pingbacks are open.