ତାରାଙ୍କ ମୁହଁରେ ନବୀନ ବନ୍ଦନା

26

ତାରାଙ୍କ ମୁହଁରେ ନବୀନ ବନ୍ଦନା । ଆଜି କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଭରପୁର ସଭାରେ ନବୀନଙ୍କୁ ଖୋଲା ଜୟ ଜୟକାର କରିଛନ୍ତି ତାରା । ଜୟ ନବୀନ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତମ ନାରା ଲଗାଇଲେ ତାରା ବାହିନୀପତି ।

ବିକ୍ରମ ଦେବ କଲେଜର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଆଜି ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ତାରା ବାହୀନିପତି । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ମଞ୍ଚରେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ଭାଷଣ ଆରମ୍ଭରୁ ହିଁ ନବୀନଙ୍କ ଜୟଗାନ କରିଥିଲେ । କୋରାପୁଟ ମାଟିର ସୌଭାଗ୍ୟ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏ କଲେଜକୁ ଆସିଛନ୍ତି । ଟୁରିଜିମ ପ୍ରେମୀ, ସବୁଜ ବନାନୀକୁ ଭଲପାଉଥିବା ମଣିଷଟିଏ, ଆପଣଙ୍କର ହୃଦୟ ଅଛି, କୋରାପୁଟକୁ ଅନେଇ ଦେଲେ ବିକାଶର ଧାରା ବହିବ, ଏମିତି କିଛି କହି ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ତାରା ବାହିନୀପତି ।

ଏମିତିକି ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ଓ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁବେଳେ ସମାଲୋଚନା କରୁଥିବା କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଏଭଳି ପ୍ରଶଂସାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Comments are closed, but trackbacks and pingbacks are open.