୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇବେ ଭାରତୀୟ ବଂଶୋଦ୍ଭବ ନାଭାନେଥେମ୍ ନାଭି ପିଲ୍ଲେ

17

ନୂଆଦିଲ୍ଲୀ: ବିଶ୍ୱ ସ୍ତରରେ ଶାନ୍ତି ପ୍ରତିଷ୍ଠା, ଅନ୍ତର୍ଜାତୀୟ ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଯୁଦ୍ଧ ଅପରାଧୀଙ୍କ ବିରୋଧରେ ଆଇନଗତ ସଂଗ୍ରାମ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଭାରତୀୟ ବଂଶୋଦ୍ଭବ ବିଶିଷ୍ଟ ଆଇନଜ୍ଞ ତଥା ମାନବାଧିକାର କର୍ମୀ ନାଭାନେଥେମ୍ ନାଭି ପିଲ୍ଲେଙ୍କୁ ୨୦୨୬ ମସିହାର ମାନନୀୟ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନରୱେ ନୋବେଲ କମିଟି ପକ୍ଷରୁ ତାଙ୍କର ଦୀର୍ଘ ଦିନର ସେବା, ନ୍ୟାୟ ପ୍ରଦାନ ଏବଂ ମାନବତା ପାଇଁ ନିରବଚ୍ଛିନ୍ନ ସଂଗ୍ରାମକୁ ସ୍ୱୀକୃତି ଦେଇ ଏହି ସର୍ବୋଚ୍ଚ ସମ୍ମାନ ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ଡର୍ବାନ ସହରରେ ଏକ ଭାରତୀୟ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିବା ନାଭି ପିଲ୍ଲେ ବର୍ଣ୍ଣବୈଷମ୍ୟ ନୀତିର କଠିନ ସମୟରେ ନିଜର ଆଇନଜୀବୀ କ୍ୟାରିୟର ଆରମ୍ଭ କରିଥିଲେ। ସେହି କଳା ଅଧ୍ୟାୟ ମଧ୍ୟରେ ସେ ନେଲସନ୍ ମଣ୍ଡେଲାଙ୍କ ସମେତ ଅନେକ ଆନ୍ଦୋଳନକାରୀଙ୍କୁ ଆଇନଗତ ସହାୟତା ଯୋଗାଇ ଦେଇ ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିବା ସହ ରୁୱାଣ୍ଡା ଗଣହତ୍ୟାର ବିଚାର ପାଇଁ ଗଠିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲରେ ସେ ଐତିହାସିକ ଭୂମିକା ଗ୍ରହଣ କରିଥିଲେ। ଯୁଦ୍ଧ ସମୟରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ହିଂସା ଓ ଦୁଷ୍କର୍ମକୁ ମାନବତା ବିରୋଧୀ ଅପରାଧ ଏବଂ ଗଣହତ୍ୟାର ଅଂଶ ଭାବେ ଆଇନଗତ ମାନ୍ୟତା ଦେବାରେ ତାଙ୍କର ଅବଦାନ ଅତୁଳନୀୟ। ନାଭି ପିଲ୍ଲେ ଅନ୍ତର୍ଜାତୀୟ ଅପରାଧ ଅଦାଲତର (ICC) ବିଚାରପତି, ମିଳିତ ଜାତିସଂଘର ମାନବାଧିକାର ହାଇକମିଶନର ଏବଂ ପାଲେଷ୍ଟାଇନ ଅଞ୍ଚଳରେ ମାନବାଧିକାର ଉଲ୍ଲଂଘନ ତଦନ୍ତ କମିଶନର ଅଧ୍ୟକ୍ଷ ଭାବେ ନିଜର ନିଷ୍ଠାପର ଦାୟିତ୍ୱ ତୁଲାଇ ବିଶ୍ୱରେ ଭାରତର ଗୌରବ ବୃଦ୍ଧି କରିଛନ୍ତି।

Comments are closed, but trackbacks and pingbacks are open.