ଫେବୃୟାରୀ ୧୧ ତାରିଖରେଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

31

ଭୁବନେଶ୍ୱର :ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଏବଂ ଓଡିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଫେବୃୟାରୀ ମାସ ୧୧ ତାରିଖ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ସଚିବ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଖୋର୍ଦ୍ଧା-ଭୁବନେଶ୍ୱରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି । ଏହି ଲୋକ ଅଦାଲତରେ ରଫା ଯୋଗ୍ୟ ଫୌଜଦାରୀ ମାମଲା, ଚେକ୍ ବାଉନ୍ସ, ମନି ରିକଭରି, ଗାଡି-ମୋଟର ଦୁର୍ଘଟଣାଜନିତ ମାମଲା, ଶ୍ରମ ବିବାଦ, ଜନ ଉପଯୋଗୀ ମାମଲା, ବିଦ୍ୟୁତ୍, ପାନୀୟଜଳ, ବୈବାହିକ, ଜମିଅଧିଗ୍ରହଣ, ପେନସନ୍ ଓ ନିଯୁକ୍ତି, ରାଜସ୍ୱ ମାମଲା, ଟେଲିଫୋନ୍ ଦେୟ ଅନାଦେୟ ମାମଲା, ବ୍ୟାଙ୍କ ଋଣ ଅନାଦେୟ, ଖାଉଟି ସୁରକ୍ଷା ମାମଲାମାନ ଆପୋଷ ବୁଝାମଣା ଜରିଆରେ ସଂପୃକ୍ତ ବିଭାଗୀୟ ଅଦାଲତ ମାନଙ୍କରେ ଫଇସଲା କରାଯିବ ବୋଲି ସଚିବ ଶ୍ରୀମତୀ ସୌଦାମିନି ସିଂ ପ୍ରକାଶ କରିଛନ୍ତି । ତେଣୁ ଜନସାଧାରଣ ଉକ୍ତ ଲୋକ ଅଦାଲତ ଅନୁଷ୍ଠିତ ହେବାର ଯଥେଷ୍ଟ ପୂର୍ବରୁ ସଂପୃକ୍ତ ଅଦାଲତରେ ନିଜ ନିଜର ମାମଲାର ଆପୋଷ ସମାଧାନ ପାଇଁ ଦରଖାସ୍ତ କରି ଫଇସଲା କରି ପାରିବେ ନତୁବା ଅଦାଲତ ପରିସରରେ ଥିବା ଆଇନ ସେବା ବିଭାଗଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ । କେବଳ ବିଚାରାଧୀନ ମୋକଦ୍ଦମା ନୁହେଁ, ମୋକଦ୍ଦମା ନଥାଇ ମଧ୍ୟ ଯଦି ନିଜ ନିଜ ମଧ୍ୟରେ ବା ଅପର ପକ୍ଷଙ୍କ ସହ ବିବାଦ ଲାଗି ରହିଥାଏ,ତେବେ ଉକ୍ତ ବିବାଦର ସମାଧାନ ପାଇଁ ମଧ୍ୟ ଉଭୟ ପକ୍ଷ ଆଇନ ସେବା ବିଭାଗକୁ ନିର୍ଦ୍ଧାରିତ ଫର୍ମରେ ଆପୋଷ ବୁଝାମଣା ପାଇଁ ଦରଖାସ୍ତ ପ୍ରଦାନ କଲେ, ଏହା ଫଇସଲା ହୋଇପାରିବ ବୋଲି ସଚିବ ଶ୍ରୀମତୀ ସିଂ ସୂଚନା ଦେବା ସହ ଜନସାଧାରଣ ଏହାର ସୁଯୋଗ ନେବାକୁ ଏବଂ ସୁଫଳ ଆପଣାଇବାକୁ ପରାମର୍ଶ ଦେଇଛନ୍ତି ।

Comments are closed, but trackbacks and pingbacks are open.