କେରଳର ଜାତୀୟ ପର୍ବ

28

ଓନମ୍ କେରଳର ଏକ ପ୍ରମୁଖ ଜାତୀୟ ପର୍ବ ଯାହା ଦଶ ଦିନ ପର୍ଯ୍ୟନ୍ତ ଚାଲେ । କେରଳର ତ୍ରିକ୍କାକରାରେ ସ୍ଥିତ ଏକ ମାତ୍ର ବାମନ ମନ୍ଦିରରେ ସେପ୍ଟେମ୍ବର ମାସରେ ରାଜା ମହାବଳିଙ୍କ ସ୍ୱାଗତରେ ଓନମ୍‌ର ପ୍ରାରମ୍ଭ ହୁଏ । ଏଥିରେ ପ୍ରତ୍ୟେକ ଘରେ ଫୁଲର ପାଖୁଡ଼ାରେ ସୁନ୍ଦର ସୁନ୍ଦର ରଙ୍ଗୋଲି କରାଯାଏ । ଝିଅମାନେ ସେହି ରଙ୍ଗୋଲିଗୁଡ଼ିକର ଚତୁଃପାଶ୍ୱର୍ରେ ବୃତ୍ତ ତିଆରି କରି ଉଲ୍ଲାସ ପୂର୍ବକ ନୃତ୍ୟ (ତିରୁୱାଥିରା କଲି) କରନ୍ତି । ଏହି ରଙ୍ଗୋଲି ବା ପୂକଲମ୍‌ର ପ୍ରାରମ୍ଭିକ ସ୍ୱରୂପ ପ୍ରଥମେ (ଅଥମ ଦିନ) ଛୋଟ ହୋଇଥାଏ ପରନ୍ତୁ ପ୍ରତିଦିନ ଏଥିରେ ଆଉ ଏକ ବୃତ୍ତ ଫୁଲକୁ ବୃଦ୍ଧି କରାଯାଏ । ଏହିପରି ଭାବରେ ବୃଦ୍ଧି ପାଇ ଦଶମ ଦିନ ଏହି ରଙ୍ଗୋଲି ବୃହତ ଆକାର ଧାରଣ କରେ । ଏହି ରଙ୍ଗୋଲି ମଝିରେ ତ୍ରିକ୍କାକରପ୍ପନ (ବାମନ ଅବତାର ବିଷ୍ଣୁ ଭଗବାନ), ରାଜା ମହାବଳି ତଥା ତାଙ୍କର ଅଙ୍ଗରକ୍ଷକମାନଙ୍କର ପ୍ରତିଷ୍ଠା ହୁଏ ଯେଉଁମାନଙ୍କୁ କଚ୍ଚା ମାଟିରେ ତିଆରି କରାଯାଏ । ଓନମ୍‌ରେ ନୌକା ଦୌଡ଼ ପରି ଖେଳର ଆୟୋଜନ ମଧ୍ୟ କରାଯାଏ । ଲୋକମାନେ ଏହି ଦିନ ମନ୍ଦିରରେ ପୂଜାପାଠ ନକରି ଘରମାନଙ୍କରେ କରନ୍ତି । ମାନ୍ୟତା ଅନୁସାରେ ରାଜା ମହାବଳି ତିନି ଲୋକ ଉପରେ ବିଜୟପ୍ରାପ୍ତ କରିବା ପରେ ଇନ୍ଦ୍ର ପଦ ପାଇବା ପାଇଁ ଗୁରୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ଶହେ ଅଶ୍ୱମେଧ ଯଜ୍ଞ କରିବାକୁ ପରାମର୍ଶ ଦେଇଥିଲେ । ରାଜା ବଳି ଶହେ ଅଶ୍ୱମେଧ ଯଜ୍ଞ କରି ୯୯ଟି ଯଜ୍ଞକୁ ସମ୍ପନ୍ନ କଲେ କିନ୍ତୁ ଶହେ ଯଜ୍ଞ ସମ୍ପନ୍ନ ହେବା ପୂର୍ବରୁ ସେଠାରେ ଭଗବାନ ବିଷ୍ଣୁ ବାମନ ରୂପ ଧାରଣ କରିି ପ୍ରକଟ ହେଲେ ଓ ତାଙ୍କୁ ତିନି ପାଦ ଜମି ମାଗିଲେ । ରାଜା ବଳି ଏହି ଇଚ୍ଛାକୁ ସ୍ୱୀକାର କରିବା ପରେ ଭଗବାନ ବିଷ୍ଣୁ ବିରାଟ ରୂପ ଧାରଣ କରି ଦୁଇ ପାଦରେ ତିନି ଲୋକକୁ ମାପିଥିଲେ ଓ ତୃତୀୟ ପାଦ ବଳିଙ୍କ ମସ୍ତକରେ ରଖିଥିଲେ । ଏହାପରେ ରାଜା ବଳି ପାତାଳ ଲୋକ ଚାଲିଗଲେ । ବର ମାଗିବା ପାଇଁ ପ୍ରଭୁ କହିବାରୁ ରାଜା ବଳି ବର୍ଷକରେ ଥରେ ନିଜ ପ୍ରଜାମାନଙ୍କ ସହିତ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେବେଠାରୁ ଓନମ୍ ପର୍ବରେ ରାଜା ବଳି ନିଜ ପ୍ରଜାଙ୍କ ସହିତ ସାକ୍ଷତ କରିବାକୁ ଆସନ୍ତି ବୋଲି ବିଶ୍ୱାସ ରହିଛି ।

Comments are closed, but trackbacks and pingbacks are open.